ଭଞ୍ଜନଗର,୧୮।୭(ନିଲୁ ବିଷୋୟୀ):ଭଞ୍ଜନଗର ଉପଖଣ୍ଡରେ ଚିଠା ଭୋଟର ତାଲିକା (ସ୍ୱତନ୍ତ୍ର ସଘନ ସଂଶୋଧନ–ଏସ୍.ଆଇ.ଆର୍.)ର ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର (ଇ.ଆର୍.ଓ.) ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ସ୍ଥିତ ଏନ୍.ପି. ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୁଧିଷ୍ଠିର ବିଦ୍ୟାପୀଠରେ ଆୟୋଜିତ ଭୋଟର ତାଲିକାରେ ସଂଯୋଜିତ ହୋଇନଥିବା ଭୋଟରମାନଙ୍କ ଶୁଣାଣି ଶିବିର ପରିଦର୍ଶନ କରିଥିଲେ। ଉକ୍ତ ଶୁଣାଣି ଶିବିରଗୁଡ଼ିକ ଏ.ଇ.ଆର୍.ଓ ଭଞ୍ଜନଗର ଏବଂ ଏ.ଇ.ଆର୍.ଓ ଜଗନ୍ନାଥପ୍ରସାଦଙ୍କ ଅଧୀନସ୍ଥ ବୁଥ୍ ଗୁଡ଼ିକର ଭୋଟର ତାଲିକାରେ ସଂଯୋଜିତ ହୋଇନଥିବା ଭୋଟରମାନଙ୍କ ପାଇଁ ଆୟୋଜିତ ହୋଇଥିଲା। ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଶୁଣାଣି ପ୍ରକ୍ରିୟାର ସାମଗ୍ରିକ ତଦାରଖ କରିଥିଲେ । ଏ.ଇ.ଆର୍.ଓ ମାନଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଥିବା ଭୋଟରମାନଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ୧୩ଟି ଦସ୍ତାବେଜ ଅନୁଯାୟୀ ସଂଲଗ୍ନ କରିଥିବା ପ୍ରମାଣପତ୍ରର ଯାଞ୍ଚ, ସେଗୁଡ଼ିକର ସତ୍ୟତା ପରୀକ୍ଷା, ରେକର୍ଡ ସଂରକ୍ଷଣ ବ୍ୟବସ୍ଥା ଏବଂ ଉପସ୍ଥିତ ଭୋଟରମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧାର ସମୀକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ବେହେରା ସମ୍ପୃକ୍ତ ଅଧିକାରୀମାନଙ୍କୁ ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରି ଶୁଣାଣି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ, ନିର୍ଭୁଲ ଏବଂ ସମୟବଦ୍ଧ ଭାବରେ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏହି ଶୁଣାଣି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ନିୟମାନୁସାରେ ସମ୍ପନ୍ନ କରାଯାଇ ଏକ ନିର୍ଭୁଲ ଏବଂ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

