ପୋଲସରା,୨୩।୭(ସୁଧାଂଶୁ ଶେଖର ସାହୁ):ଚଳିତ ବର୍ଷ ପରୀକ୍ଷା ନିଟ୍ ୨୦୨୬ ପରୀକ୍ଷାରେ ପୋଲସରାର ପି. ସ୍ୱସ୍ତିକ ପ୍ରୁଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ୭୨୦ରୁ ୫୯୦ ମାର୍କ, ୯୯.୩୦୫ ପର୍ସେଣ୍ଟାଇଲ୍, ଅଲ୍ ଇଣ୍ଡିଆ ରାଙ୍କ (AIR) ୧୩,୮୪୩ ଏବଂ ସାଧାରଣ ବର୍ଗରେ କ୍ୟାଟେଗୋରୀ ରାଙ୍କ ୫୪୭୩ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସ୍ୱସ୍ତିକ ଦଶମ ଶ୍ରେଣୀରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୋଲସରାରୁ ୭୩ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ। ପରେ ଅନେସ୍ନେସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ୬୭ ପ୍ରତିଶତ ନମ୍ବର ହାସଲ କରିଥିଲେ। ସାଧାରଣ ଶିକ୍ଷାଗତ ଫଳାଫଳ ସତ୍ତ୍ୱେ ସେ ନିରନ୍ତର ପରିଶ୍ରମ, ଦୃଢ଼ ସଙ୍କଳ୍ପ ଓ ଅଧ୍ୟବସାୟ ବଳରେ ନିଟ୍ରେ ଏହି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ସ୍ୱସ୍ତିକଙ୍କ ପିତା ପି. ସତ୍ୟ ନାରାୟଣ ପ୍ରୁଷ୍ଟି ଏବଂ ମାତା ପି. ରାଧାରାଣୀ ପ୍ରୁଷ୍ଟି ପୁଅର ଏହି କୃତିତ୍ୱରେ ଖୁସି ପ୍ରକାଶ କରିଛନ୍ତି।ନିଜ ସଫଳତା ସମ୍ପର୍କରେ ସ୍ୱସ୍ତିକ କହିଛନ୍ତି, “ମୋର ନିଟ୍ ଯାତ୍ରା ପ୍ରମାଣ କରିଛି ଯେ ସ୍ୱପ୍ନ କୌଣସି ସର୍ଟକଟ୍ରେ ନୁହେଁ, ବରଂ ନିରନ୍ତର ପରିଶ୍ରମ ଓ ଅଧ୍ୟବସାୟ ଦ୍ୱାରା ସାକାର ହୁଏ। ଡାକ୍ତରଙ୍କ ଧଳା କୋଟ୍ ପିନ୍ଧିବା ପର୍ଯ୍ୟନ୍ତ ମୋର ସଂଘର୍ଷ ଜାରି ରହିବ। ଏବଂ ପ୍ରତ୍ୟେକ ଚ୍ୟାଲେଞ୍ଜ ମୋତେ ସମାଜର ସେବା ପାଇଁ ଜଣେ ଭଲ ଡାକ୍ତର ହେବାର ସଙ୍କଳ୍ପକୁ ଆହୁରି ଦୃଢ଼ କରିଛି। ପୋଲସରା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀମାନେ ସ୍ୱସ୍ତିକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ତାଙ୍କର ଏହି ସଫଳତା ଅଞ୍ଚଳର ଯୁବପିଢ଼ି ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା ହୋଇ ରହିବ।

