ଭଞ୍ଜନଗର,୦୯/୮(ନିଲୁ ବିଶୋୟୀ):ଗଂଜାମ – କନ୍ଧମାଳ ଜିଲ୍ଲା ସୀମାନ୍ତ ରାଇକିଆ ବ୍ଲକ୍ ଅଧୀନ ଇନ୍ଦ୍ରଗଡ଼ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ୧୧ ବର୍ଷ ପରେ ରାସ୍ତା ଦବି ପ୍ରାୟ ୩୦ ଫୁଟ ଓସାର ଓ ୭/୮ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି। ବର୍ତ୍ତମାନ ଗାତର ଆକାର ଓ ଗଭୀରତା ବଢ଼ୁଥିବା ସାଙ୍ଗକୁ ପାଣି ରହିଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗାଁକୁ ପୁଣିଥରେ ବିପଦ ଘନେଇଲା ବୋଲି କହିଛନ୍ତି। ଅନନ୍ତ ନାୟକଙ୍କ ଘର ସାମ୍ନାରେ ଗତକାଲି ଗ୍ରାମର କିଛି ପିଲା ଖେଳିବା ସମୟରେ ହଠାତ୍ ଅସ୍ବାଭାବିକ ଭାବେ ମାଟି ଥଳମଳ ହେବାକୁ ଲାଗିଥିଲା। ଫଳରେ ତପସ୍ବିନୀ ନାୟକ ତୁରନ୍ତ ପିଲାମାନଙ୍କୁ ସେଠାରୁ ହଟିବାକୁ କହିଥିଲେ। କିଛି ସମୟରେ ମାଟି ଧସିବା ଆରମ୍ଭ କରିବା ସହ ବିରାଟ ଗାତରେ ପରିଣତ ହୋଇଥିଲା। ସିମେଣ୍ଟ ଓ କଂକ୍ରିଟ୍ ରାସ୍ତା ନଷ୍ଟ ହୋଇଯିବା ସହ ଜଣେ ବ୍ୟକ୍ତିଙ୍କ ଘରର ତାରବାଡ଼ ପଶିଯାଇଥିଲା। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ମଝିରେ ମଝିରେ ମାଟି ଧସୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ଫଳରେ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।୨୦୧୫ ସେପ୍ଟେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନରେ ଗାଁ ମଝିରେ ୨୫ ଫୁଟରୁ ତଳକୁ ମାଟି ଦବିଯାଇ ବିରାଟ ଗାତ ହୋଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଏଭଳି ତିନିଟି ଗାତ ସୃଷ୍ଟି ହୋଇଥିଲା। ଝର ସୃଷ୍ଟି ହୋଇ ଗାତରେ ପାଣି ବୋହିଯାଉଥିବା ଦେଖିବାକୁ ମିଳିଥିଲା। ବିରାଟ ଆମ୍ବ ଓ ନଡ଼ିଆ ଭଳି ଗଛ ସେହି ଗାତରେ ଆଜି ବି ସେମିତି ପୋତି ହୋଇରହିଛି। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତତ୍କାଳୀନ ସରକାର ଗୁରୁତ୍ବର ସହ ନେଇଥିଲେ। ପ୍ରଶାସନିକ ଅଧିକାରୀ ଓ ଭୂତତ୍ତ୍ବବିତ୍ ଆସି ଅନୁଧ୍ୟାନ କରିବା ସହ ମାଟି ସମେତ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ବିପଦ ରହିଥିବାରୁ ସ୍ଥାନୀୟ ଲୋକଙ୍କୁ ଗାଁ ଛାଡ଼ିବାକୁ କୁହାଯିବା ସହ ସେଠାରେ ଚଳପ୍ରଚଳକୁ ବାରଣ କରି ଫଳକ ମଧ୍ୟ ଲଗାଯାଇଥିଲା। ୩୫ ପରିବାରର ଲୋକଙ୍କୁ କେନ୍ଦୁପଲ୍ଲୀ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ସେଠାରେ ପାଖାପାଖି ୪୦ ଦିନ ରହିବା ପରେ ଗ୍ରାମବାସୀଙ୍କୁ ଅନ୍ୟ ସ୍ଥାନରେ ଘର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ପରିବାର ବରଗଡ଼ିହରେ ପୂର୍ନବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରି ରହୁଥିବା ବେଳେ ଭୂସ୍ଖଳନରେ ଘର ହରାଇଥିବା ପଞ୍ଚାନନ ନାୟକ ଓ ବୁଲୁ ନାୟକ ମଧ୍ୟ ସେଠାରେ ରହୁଛନ୍ତି। ଅନ୍ୟମାନଙ୍କ ପାଇଁ ଗ୍ରାମ ନିକଟ ତଳ ମୌଜାରେ ଘର ନିର୍ମାଣ ପାଇଁ ଟଙ୍କା ଆସିଥିଲା। କିନ୍ତୁ କୌଣସି କାରଣରୁ ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରିନି। ଫଳରେ ପ୍ରାୟ ୧୫ରୁ ଅଧିକ ପରିବାର ଆଜିବି ଗ୍ରାମରେ ବିପଜ୍ଜନକ ଭାବେ ରହୁଥିବା ବୃନ୍ଦାବନ ନାୟକ, ସନ୍ୟାସୀ ନାୟକ, ନୃସିଂହ ନାୟକ, ଅନନ୍ତ ନାୟକ, ନିରାକାର ନାୟକ ଓ ରଘୁନାଥ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୁଣି ଗ୍ରାମକୁ ବିପଦ ମୁହାଁଇଥିବା ବେଳେ ଘର ଭାଙ୍ଗିବା ଆଶଙ୍କା ଦେଖାଦେଇଛି। ଯଦି ବିପଦ ବଢ଼ିବ, ତା’ହେଲେ ଆମେ ନିକଟ ବିଦ୍ୟାଳୟକୁ ଯିବା ଲାଗି ପ୍ରସ୍ତୁତ ହେଉଥିବା କିଛି ଗ୍ରାମବାସୀ କହିଛନ୍ତି।

