ସିନାପାଲି,୧୫।୮(ପରମେଶ୍ୱର ମେହେର):ବୟସ ୬୪ ବର୍ଷ। ଦେହ ଆଉ ସାଥ୍ ଦେଉନାହିଁ। ତଥାପି ପରିବାର ଚଳାଇବା ପାଇଁ ସରକାରୀ ଭତ୍ତା ଖଣ୍ଡିଏ ଆଶାରେ ଦୁଆରରୁ ଦୁଆର ଘୁରୁଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତର କେନ୍ଦୁମୁଣ୍ଡା ଗ୍ରାମର ହାଇଦର ଅଲି। ଅଭାବ ଅନଟନରେ ଜୀବନ କାଟୁଥିବା ଏହି ଅସହାୟ ପରିବାର ପାଇଁ ସରକାରୀ ସହାୟତା କହିଲେ ମାସକୁ ମିଳୁଥିବା ୧୦ କେଜି ଚାଉଳ ହିଁ ଏକମାତ୍ର ଭରସା ବୋଲି ପରିବାର ପକ୍ଷରୁ କୁହାଯାଇଛି।ହାଇଦର ଅଲିଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ତାଙ୍କ ସହ ପତ୍ନୀ ଓ ଜଣେ କୁନି ଝିଅ ରହୁଛନ୍ତି। ପରିବାରର ଜଣେ ସଦସ୍ୟ ଗତ ଦୁଇ ବର୍ଷ ଧରି ପାରାଲିସିସ୍ରେ ପୀଡ଼ିତ ଥିବାରୁ ଚିକିତ୍ସା ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ମଧ୍ୟ ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଭତ୍ତା ଖଣ୍ଡିଏ ପାଇଁ ହାଇଦର ଅଲି ଦୀର୍ଘଦିନ ଧରି ସଂଘର୍ଷ କରୁଥିବା ଅଭିଯୋଗ ହୋଇଛି। ଅସୁସ୍ଥ ଓ ବୟସ୍କ ହୋଇଥିଲେ ମଧ୍ୟ ତାଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ କେବେ ଗୁରୁତ୍ୱ ଦେବ—ତାହାକୁ ନେଇ ପ୍ରଶ୍ନ ଉଠିଛି।ଗରିବ ଓ ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ଘୋଷଣା କରୁଥିବା ବେଳେ ହାଇଦର ଅଲିଙ୍କ ଭଳି ଅସହାୟ ବ୍ୟକ୍ତି ସେହି ସୁବିଧାରୁ ବଞ୍ଚିତ ହେବା ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି। ତୁରନ୍ତ ଘଟଣାର ତଦନ୍ତ କରି ହାଇଦର ଅଲିଙ୍କୁ ଯୋଗ୍ୟତା ଅନୁଯାୟୀ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

