ଚିକିଟି,୨୦।୮(ନିଗମାନନ୍ଦ ପଣ୍ଡା):ରାଜ୍ୟରେ ଗରିବ ଓ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ପୁଣି ଥରେ ସମ୍ଭ୍ରାନ୍ତ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ପଦାରେ ପଡ଼ିଛି। ଏମ୍ସ (AIIMS) ଭୁବନେଶ୍ୱର ଭଳି ପ୍ରମୁଖ ଜାତୀୟ ଅନୁଷ୍ଠାନର ସଂବେଦନହୀନ ନୀତି ଯୋଗୁଁ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକ ୨୪ ଘଣ୍ଟା ମଧ୍ୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଏବଂ ପୁଣି ଭୁବନେଶ୍ୱରରୁ ବ୍ରହ୍ମପୁର ଏପରି ପ୍ରାୟ ୪୦୦ କିଲୋମିଟର ଦୌଡ଼ି ହଇରାଣ ହୋଇଛନ୍ତି। ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବଡ଼ ପଲଙ୍କ ଗ୍ରାମର ୩୨ ବର୍ଷୀୟ ଯୁବକ ଅଭିଷେକ ପ୍ରଧାନ ସନ୍ଧ୍ୟା ୫ଟାରେ ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ MKCG ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ AIIMS ରେଫର କରାଯାଇଥିଲା। ରାତି ୧୨ଟାରେ ରୋଗୀ AIIMS ରେ ପହଞ୍ଚିଥିଲେ ହେଁ ତୁରନ୍ତ ଚିକିତ୍ସା କିମ୍ବା ସ୍କାନିଂ ନକରି, ତାଙ୍କୁ ସାରା ରାତି କାଜୁଆଲଟିରେ ପକାଇ ରଖାଯାଇଥିଲା। ସକାଳେ ସ୍କାନ୍ ପରେ ଗୋଡ଼ କାଟିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ ସତ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ସୁବିଧା ଥାଇ ମଧ୍ୟ ଅସ୍ତ୍ରୋପଚାର ନକରି ଗୁରୁତର ରୋଗୀଙ୍କୁ ପୁନର୍ବାର ୨୦୦ କିମି ଦୂର MKCG କୁ ଫେରାଇ ଦିଆଯାଇଥିଲା।ଏହି ଅଘଟଣକୁ ନେଇ ସମାଜସେବୀ ସରୋଜ କୁମାର ପଣ୍ଡା କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି ଯେ, AIIMS ରେ ଗରିବ ରୋଗୀଙ୍କୁ ଅନାଦର କରାଯାଉଥିବା ବେଳେ VIP ମାନଙ୍କ ପାଇଁ ସବୁ ସୁବିଧା ସଙ୍ଗେ ସଙ୍ଗେ ମିଳୁଛି। ପୂର୍ବରୁ ଚିକିଟିର ବତ୍ସଳ ବେହେରା ନାମକ ଅନ୍ୟ ଜଣେ ଯୁବକ ICU ବେଡ୍ ନପାଇ ୪ ଦିନ କାଜୁଆଲଟିରେ ପଡ଼ି ରହି ଶେଷରେ ପ୍ରାଣ ହରାଇଥିଲେ, ଅପରପକ୍ଷରେ ଚିକିଟି ବିଧାୟକଙ୍କ ପୁଅ ଆହତ ହେବା କ୍ଷଣି ତୁରନ୍ତ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଚିକିତ୍ସା ଯୋଗାଇ ଦେଇଥିଲେ। ଏହି ବିପଦ ସମୟରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ୍ ରାତି ୧୨ଟାରେ ଖବର ପାଇ ତୁରନ୍ତ ଫୋନ୍ରେ ଯୋଗାଯୋଗ କରିବା ସହ ଅଭିଷେକଙ୍କ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ରେଡକ୍ରସ୍ ପାଣ୍ଠିରୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। ଜିଲ୍ଲାପାଳଙ୍କ ଏହି ମାନବୀୟ ପଦକ୍ଷେପକୁ ପ୍ରଶଂସା କରାଯାଉଥିବା ବେଳେ, ଗରିବ ରୋଗୀଙ୍କ ଜୀବନ ସହ ଖେଳୁଥିବା AIIMS କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

