ପାତ୍ରପୁର,୧୯।୦୮(ଗୌରାଙ୍ଗ ପ୍ରଧାନ):ପକ୍କା ରାସ୍ତା ନଥିବାରୁ ଆଜି ବି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସାତ ସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ଗାଇଡା-ଏ ଗାଁରେ ଦେଖିବାକୁ ମିଳିଛି।ଗାଁକୁ ପକ୍କା ରାସ୍ତା ନଥିବାରୁ ଅସୁସ୍ଥ ଜଣେ ମହିଳାଙ୍କୁ ପ୍ରାୟ ୩ କିଲୋମିଟର ଦୋଳାରେ ବୋହି ନେବାକୁ ପଡ଼ିଛି। ପରେ ବାଦୁଆ ନିକଟରେ ଆମ୍ବୁଲାନ୍ସରେ ଚଢ଼ାଇ ତାଙ୍କୁ ପାତ୍ରପୁର ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଗାଇଡା-ଏ ଗାଁର ପୂର୍ଣ୍ଣଚନ୍ଦ୍ର କାର୍ଯୀଙ୍କ ପତ୍ନୀ ବେଙ୍ଗିନୀ କାର୍ଯୀ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ହାତ ଓ ଗୋଡ଼ ଫୁଲିଯିବା ସହ ଶାରୀରିକ ଦୁର୍ବଳତା ଦେଖାଦେଇଥିବା ପରିବାର ପକ୍ଷରୁ କୁହାଯାଇଛି। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଆବଶ୍ୟକ ହୋଇଥିଲା।ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ପାଇଁ ଯୋଗାଯୋଗ ରାସ୍ତା ନଥିବାରୁ ଗ୍ରାମବାସୀ ଏକାଠି ହୋଇ ଦୋଳା ପ୍ରସ୍ତୁତ କରିଥିଲେ। ଦୁର୍ଗମ ମାଟି ରାସ୍ତା ଦେଇ ପ୍ରାୟ ୩ କିଲୋମିଟର ମହିଳାଙ୍କୁ ବୋହି ଆଣିବା ପରେ ବାଦୁଆ ଠାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା।ଗାଁକୁ ପକ୍କା ରାସ୍ତା ନଥିବାରୁ କେବଳ ଅସୁସ୍ଥ ରୋଗୀ ନୁହେଁ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଛୋଟ ପିଲାଙ୍କ ଯାତାୟାତ ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ବର୍ଷାଦିନରେ ସମସ୍ୟା ଆହୁରି ଗମ୍ଭୀର ହେଉଥିବା ଗ୍ରାମବାସୀ କହିଛନ୍ତି।ଏପରି ଦୃଶ୍ୟ ଗ୍ରାମାଞ୍ଚଳର ବିକାଶ ଓ ମୌଳିକ ସୁବିଧା ପହଞ୍ଚିବା ନେଇ ବଡ଼ ପ୍ରଶ୍ନ ଠିଆ କରିଛି। ଗାଇଡା ନିକଟସ୍ଥ ଗଡଙ୍ଗ-ଧୋବାଲିଙ୍ଗି ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ ଚାଲିଥିବା ବେଳେ ଗାଇଡା-ଏ ଗାଁକୁ ମଧ୍ୟ ଏହି ରାସ୍ତା ସହ ସଂଯୋଗ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଗାଇଡା-ଏ ଗାଁକୁ ଶୀଘ୍ର ପକ୍କା ରାସ୍ତା ଯୋଗାଇଦେବା ସହ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚିବାର ସୁବିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

