ବେଲଗୁଣ୍ଠା,୨।୧୧(ଶିବରାମ ଚୌଧୁରୀ):ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍ର ଇଙ୍ଗିନାଠି ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାଏଁ ଅନେକ ଚାଷଜମିରୁ ବନ୍ୟାଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇପାରିନାହିଁ। ଏଭଳି ସ୍ଥିତିରେ ପୁଣି ମୁରସୁ ବାତ୍ୟାର ଆଶଙ୍କା ଲୋକଙ୍କ ଚିନ୍ତା ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସକାଳୁ ଝିପିଝିପି ବର୍ଷା ସତ୍ତ୍ୱେ ବେଲଗୁଣ୍ଠା ବ୍ଲକ୍ ସମିତି ଅଧ୍ୟକ୍ଷା ମମତା ଭୋଳ ନିଜ ସମର୍ଥକଙ୍କ ସହ ଇଙ୍ଗିନାଠି ପଞ୍ଚାୟତର ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଗ୍ରାମ ପରିଦର୍ଶନ କରିଛନ୍ତି।ଏହି ଅବସରରେ ସେ ଗ୍ରାମର ଘର ଘର ବୁଲି ବାତ୍ୟା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକର ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିବା ସହ ବିସ୍କୁଟ ବଣ୍ଟନ କରିଥିଲେ। ଆଗାମୀ ଦିନରେ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ।ଏହି ଗସ୍ତ ସମୟରେ ବିଜେଡି ନେତା ପ୍ରକାଶ ନାୟକ, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଯୁବନେତା ମନୋଜ ବରାଡ଼, ଗଗନ ନାୟକଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ।

