ଗଞ୍ଜାମ/ଚିକିଟୀ,୦୧।୮: ମଣିଷ ପରି ନୀରିହ ପ୍ରାଣୀଙ୍କ ଜୀବନ ମଧ୍ୟ ସମାନ ମୂଲ୍ୟବାନ—ଏହି ମାନବିକ ବାର୍ତ୍ତାକୁ ପୁଣିଥରେ ସାର୍ଥକ କରିଛି ଚିକିଟୀ ବ୍ଲକର ବଡକେଳାଝୁରି ଗ୍ରାମର ଏକ ଘଟଣା । ଗ୍ରାମ ମଧ୍ୟରେ ଏକ ବୁଲା ଷଣ୍ଢ ପାକୁଳିବା ମାତ୍ରେ ତା’ର ପାଟିରୁ ଅନବରତ ରକ୍ତସ୍ରାବ ହେଉଥିବା ଦୃଶ୍ୟ ଚିକିଟୀର କିଛି ସାମ୍ବାଦିକ ଦୃଷ୍ଟିଗୋଚର ହୋଇଥିଲା। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ସେମାନେ ବିଳମ୍ବ ନକରି ନୂଆପଡା ପ୍ରାଣୀବିଭାଗୀୟ ମୈତ୍ରୀ ଗୌରାଙ୍ଗ ପ୍ରଧାନଙ୍କୁ ଫୋନ୍ ଯୋଗେ ସୂଚନା ପ୍ରଦାନ କରିଥିଲେ ।ପ୍ରାଣୀ ଚିକିତ୍ସକ ଶ୍ରୀ ସୌମିକ ସ୍ୱାଇଁଙ୍କ ପରାମର୍ଶକ୍ରମେ ଗୌରାଙ୍ଗ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଷଣ୍ଢଟିର ଚିକିତ୍ସା କରି ରକ୍ତସ୍ରାବ ବନ୍ଦ କରିଥିଲେ। ତାଙ୍କର ତ୍ୱରିତ ପଦକ୍ଷେପ, କର୍ତ୍ତବ୍ୟନିଷ୍ଠା ଓ ପ୍ରାଣୀପ୍ରେମ ଯୋଗୁଁ ଷଣ୍ଢଟି ମରଣମୁହଁରୁ ଫେରି ନୂଆ ଜୀବନ ପାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମାନବିକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପାଲଟିଛି। ଗ୍ରାମବାସୀମାନେ ପ୍ରାଣୀବିଭାଗୀୟ ମୈତ୍ରୀ ଗୌରାଙ୍ଗ ପ୍ରଧାନ, ପ୍ରାଣୀ ଚିକିତ୍ସକ ଶ୍ରୀ ସୌମିକ ସ୍ୱାଇଁ ଏବଂ ସମୟୋଚିତ ସୂଚନା ଦେଇଥିବା ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ଭୂୟସୀ ପ୍ରଶଂସା ଓ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ନୀରିହ ପ୍ରାଣୀଙ୍କ ସୁରକ୍ଷା ପ୍ରତି ଏଭଳି ସମନ୍ୱିତ ଉଦ୍ୟମ ସମାଜ ପାଇଁ ନିଶ୍ଚିତ ଭାବେ ଏକ ଅନୁକରଣୀୟ ଦୃଷ୍ଟାନ୍ତ ଅଟେ ।

