ଫୁଲବାଣୀ,୨୫।୦୯(ସୁନୀଲ ପଟ୍ଟନାୟକ):ରାଜ୍ୟରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ଏବଂ ଗ୍ରାମୀଣ ପରିବାରଗୁଡ଼ିକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆଜି ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ରାଜ୍ୟସ୍ତରୀୟ ଅଭିଯାନର ଅଂଶ ଭାବେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସମବାୟ ବିଭାଗ, କନ୍ଧମାଳ ବିଭାଜନର ମିଳିତ ଅନୁକୂଲ୍ୟରେ ଅଭିଯାନକୁ ବ୍ୟାପକ ଭାବେ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ‘ସମବାୟ ନୀତି ୨୦୨୬’ ଅନୁଯାୟୀ ପ୍ରଣୀତ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମରେ ଜଣେ ବ୍ୟକ୍ତିଙ୍କୁ ସମବାୟ ସମିତିର ସଦସ୍ୟ ଭାବେ ସାମିଲ କରିବା। ଏହା ମାଧ୍ୟମରେ କୃଷକ, ମହିଳା, ଯୁବବର୍ଗ ଓ ସାଧାରଣ ଲୋକଙ୍କ ଆର୍ଥିକ ସଶକ୍ତିକରଣ ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। *୪୬ ହଜାର ନୂତନ ସଦସ୍ୟ ସାମିଲ ଲକ୍ଷ୍ୟ* କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ୧ ଲକ୍ଷ ୬୧ ହଜାର ୯୦୪ ଜଣ ସମବାୟ ସଦସ୍ୟ ରହିଛନ୍ତି। ‘ସମୃଦ୍ଧ’ ମହାଅଭିଯାନ ମାଧ୍ୟମରେ ଆହୁରି ୪୬ ହଜାର ନୂତନ ସଦସ୍ୟଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।ସଦସ୍ୟତା ପ୍ରକ୍ରିୟାକୁ ସହଜ ଓ ସୁଗମ କରିବା ପାଇଁ ‘ସମୃଦ୍ଧ’ ଆପ୍ ପ୍ରଚଳନ କରାଯାଇଛି। ସ୍ଥାନୀୟ ସ୍ତରରେ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ‘ସମବାୟ ସାଥୀ’ ନିୟୋଜିତ ହୋଇଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ୫୨ଟି LAMPS ଗଠନ କରାଯାଇ ମୋଟ LAMPS ସଂଖ୍ୟା ୭୬କୁ ବୃଦ୍ଧି ପାଇଛି। କୃଷକ ଓ ସଦସ୍ୟଙ୍କ ପାଇଁ ବିଭିନ୍ନ ସୁବିଧା ‘ସମୃଦ୍ଧ’ ଅଭିଯାନ ଅଧୀନରେ ସଦସ୍ୟମାନଙ୍କୁ ବିଭିନ୍ନ କୃଷି ଓ ଆର୍ଥିକ ସୁବିଧା ଯୋଗାଇବାର ବ୍ୟବସ୍ଥା ରହିଛି। ଏଥିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ୍ୟ ସୁଧରେ କୃଷି ଋଣ ଏବଂ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ ପ୍ରତିଶତ ବାର୍ଷିକ ସୁଧରେ ଋଣ ସୁବିଧା ରହିଛି। ଏଥିସହ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ କୃଷକ ବୀମା, ଭୂମିହୀନ ଓ ଭାଗଚାଷୀଙ୍କୁ JLG ଓ SHG ମାଧ୍ୟମରେ ରିହାତି ଦରରେ କୃଷି ଓ ଅଣକୃଷି ଋଣ, ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆର୍ଥିକ ସହାୟତା ଆଦି ସୁବିଧା ରହିଛି। ଏଥିସହ CSC ମାଧ୍ୟମରେ ଡିଜିଟାଲ୍ ସେବା, ଜନଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଔଷଧ ଏବଂ କୃଷି ସେବା କେନ୍ଦ୍ର ମାଧ୍ୟମରେ ଟ୍ରାକ୍ଟର ଓ ପାୱାର ଟିଲର ଭଳି କୃଷି ଯନ୍ତ୍ରପାତି ଭଡ଼ାରେ ଯୋଗାଇବାର ବ୍ୟବସ୍ଥା ରହିଛି।ଅଧିକାରୀ, ସମବାୟ କର୍ମଚାରୀ, କୃଷକ ଓ ଗଣମାଧ୍ୟମର ଯୋଗଦାନ।ଏହି ମହାଅଭିଯାନର ସଫଳ ରୂପାୟନ ନେଇ ଅନୁଷ୍ଠିତ ବୈଠକରେ କନ୍ଧମାଳ DRCS ଶ୍ରୀ ସନ୍ତୋଷ କୁମାର ଦାଶ, CDAO ଶ୍ରୀ ପବିତ୍ର ମୋହନ ସାହୁ, DDH ଶ୍ରୀମତୀ ସ୍ମିତା ମହାନ୍ତି, CDVO ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତୀନିଏଲ ନାଇକା ଏବଂ DFOଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ଏଥିସହ ARCS ଫୁଲବାଣୀ ଶ୍ରୀ ଅଶୋକ କୁମାର ମହାନ୍ତି, ARCS ବାଲିଗୁଡ଼ା/ଫୁଲବାଣୀ ଶ୍ରୀ ସୁକାନ୍ତ କୁମାର ପାଢ଼ୀ, AAGCS ଶ୍ରୀ ସୁମନ କୁମାର ଶତପଥୀ, RMC ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ LAMPSର ବୋର୍ଡ ସଦସ୍ୟ, କର୍ମକର୍ତ୍ତା ଓ କର୍ମଚାରୀ, କୃଷକ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ସମେତ ଉପସ୍ଥିତ ସମସ୍ତ ଅଧିକାରୀ, ସମବାୟ ସମିତିର କର୍ମକର୍ତ୍ତା ଓ କର୍ମଚାରୀ, କୃଷକ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯାନର ବାର୍ତ୍ତାକୁ ଗ୍ରାମାଞ୍ଚଳର ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନୂତନ ସଦସ୍ୟଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଥିଲେ।ଜନସାଧାରଣଙ୍କ ସକ୍ରିୟ ସହଭାଗିତା, କୃଷକଙ୍କ ଯୋଗଦାନ, ସମବାୟ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ଗଣମାଧ୍ୟମର ସହଯୋଗ ମାଧ୍ୟମରେ ‘ସମୃଦ୍ଧ’ ମହାଅଭିଯାନକୁ କନ୍ଧମାଳ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ୱାନ ଜଣାଯାଇଛି।

