ଫୁଲବାଣୀ,୨୨/୦୫,( ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ପ୍ରଗତି ଓ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀର ମାନ୍ୟବର ବିଧାୟକ ଉମାଚରଣ ମଲ୍ଲିକ, ଜି. ଉଦୟଗିରିର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଅଜିତ ପଟ୍ଟନାୟକ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଏବଂ ଜନପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ବୈଠକରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଗୃହ ନିର୍ମାଣ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS) ଭଳି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ବିସ୍ତୃତ ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀମାନେ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।ବୈଠକ ଅବସରରେ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାହାର ତ୍ୱରିତ ଓ ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ।ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମାନ୍ୟବର ବିଧାୟକମାନେ ଏବଂ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକ ସାଙ୍ଗ କରାଯାଇଥିଲା ।

