ବେଲଗୁଣ୍ଠା,୧।୧୧(ଶିବରାମ ଚୌଧୁରୀ):ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲ୍ଲା, ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଥିବାବେଳେ ବାତ୍ୟାଠାରୁ ମଧ୍ୟ ବନ୍ୟାର ଦୁର୍ଦ୍ଦଶା ଅଧିକ ଭୟାବହ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ହରି କୃଷ୍ଣ ରଥ ବେଲଗୁଣ୍ଠା ବ୍ଳକ୍ର ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଜନସାଧାରଣଙ୍କ ଦୁଃଖସୁଖ ବୁଝିଛନ୍ତି।ଆଜି ଶ୍ରୀ ରଥ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଇଙ୍ଗିନାଠି ଓ ମନ୍ଦାର ଗ୍ରାମକୁ ଯାଇ ସେଠାକାର ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଶହ ଶହ ଏକର ଜମିର ଧାନ ତଥା ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ଉପୁଜିଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ସେ ପ୍ରଶାସନ ନିକଟରେ ଦୃଢ଼ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହି ଗସ୍ତ ସମୟରେ ତାଙ୍କ ସହିତ ସୋରଡ଼ା ବ୍ଲକ ସଭାପତି ବୁଦ୍ଧଦେବ ମଳିକ, ପଶ୍ଚିମ ଗଞ୍ଜାମ କଂଗ୍ରେସ ସେବାଦଳ ସାଧାରଣ ସମ୍ପାଦକ ବିନାୟକ ଗୌଡ଼, ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼, ସ୍ୱେଚ୍ଛାସେବୀ ସୁଧାକର ଗୌଡ଼, କୃଷ୍ଣ ଗୌଡ଼, ସୁଜିତ ସ୍ୱାଇଁ, ଇଙ୍ଗିନାଠି ୱାର୍ଡ଼ ମେମ୍ବର ଅରୁଣ ନାୟକ ଏବଂ ବେଲଗୁଣ୍ଠା ସହରର ଯୁବ କଂଗ୍ରେସ ନେତା ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବନ୍ୟା ପରର ସମସ୍ୟାଗୁଡ଼ିକୁ ସଜାଡ଼ିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

