ଭଞ୍ଜନଗର,୨୭।୧୦(ନିଲୁ ବିଷୋୟୀ):ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଏବଂ ଭୂସ୍ଖଳନ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଆଜି କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଘାଟି ଅଞ୍ଚଳର ରାସ୍ତାର ସ୍ଥିତି, ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନ ଏବଂ ବାତ୍ୟାଜନିତ ପ୍ରବଳ ବର୍ଷାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ରାସ୍ତାର ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଘାଟି ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ଯାତାୟାତ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଭୂସ୍ଖଳନ ଭଳି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡ଼ିଓ ଭାରତୀ ଦେବୀ, ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଜନସାଧାରଣ ଅତ୍ୟନ୍ତ ଆବଶ୍ୟକ ନହେଲେ ଘାଟି ଅଞ୍ଚଳରେ ଯାତାୟାତ ନକରିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

