ବୁଗୁଡ଼ା,୨୭।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା କରିବା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ପ୍ରଶାସନ। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା, ଜରୁରୀକାଳୀନ ସେବା ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବିଶେଷକରି ବୁଗୁଡ଼ା ବ୍ଲକର କରସିଙ୍ଗି ଓ କରଚୁଲି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା ଏବଂ ଏହାର ସ୍ଥିତି ସମ୍ପର୍କରେ ବୁଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଅନୁଧ୍ୟାନ କରିଛନ୍ତି।ବାତ୍ୟା ସମୟରେ ଯେପରି କୌଣସି ଲୋକ ଖାଦ୍ୟ ଓ ଆଶ୍ରୟରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।କରସିଙ୍ଗି ପଞ୍ଚାୟତ ସମଲାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଆଶ୍ରୟ ସ୍ଥଳୀ ଖୋଲାଯାଇ ସେଠାରେ ୩୫ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି,ବର୍ଷା ବଢିଲେ ଆହୁରି ଆଶ୍ରୟ ସ୍ଥଳୀ ଖୋଲିବାପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି,ବର୍ତ୍ତମାନ ବାତ୍ୟାକୁ ନେଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଉଛି।

