ଭଞ୍ଜନଗର,୨୯।୯(ନିଲୁ ବିଷୋୟୀ):ବଦଳିବ କଳିଙ୍ଗା ଘାଟିର ରୂପରେଖ । ବାରମ୍ବାର ଭୂସ୍ଖଳନ୍ ରେ ବେହାଲ ହୋଇ ପଡ଼ିଥିବା କଳିଙ୍ଗା ଘାଟିକୁ ନୂତନ ରୂପ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ସୋରଡା ବିଧାୟକ ନୀଳମଣି ବିଷୋୟୀ ଘାଟି ଅଞ୍ଚଳ ପରିଦର୍ଶନ କରି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଘାଟିର ବିକଳ୍ପ ରାସ୍ତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ବର୍ତ୍ତମାନ ଘାଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ରହିଥିବା ବେଳେ କାହିଁକି ଏଠାରେ ବାରମ୍ବାର ଏଭଳି ଘଟଣା ଘଟୁଛି ତାର ଯାଞ୍ଚ ପାଇଁ ଏକ୍ସପର୍ଟ ଟିମ୍ ଆସି ଯାଞ୍ଚ କରିବା ସହ ସେମାନଙ୍କ ଯାଞ୍ଚ ରିପୋର୍ଟ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅଧିକାରୀ କହିଥିଲେ। ଭୂସ୍ଖଳନ ସ୍ଥଳରେ ପ୍ରବଳ ସ୍ରୋତରେ ପାଣି ଉପରୁ ଆସୁଛି ସେଥି ପାଇଁ ଭୂସ୍ଖଳନ ନେଇ ଆଶଙ୍କା ରହୁଥିବା ବେଳେ ପାଣିର ସ୍ରୋତକୁ ବଦଳାଇବା ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଜିଲ୍ଲା ପ୍ରଶାସନ ଓ ପରିବହନ ମନ୍ତ୍ରୀ ଏହାର ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା କରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ କରାଯାଇ ରାସ୍ତା ଖୋଲା ଯିବ । ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟରେ ସହଯୋଗ କରିବାର ଆବଶ୍ୟକତା ରହିଥିବା ବିଧାୟକ ନୀଳମଣି ବିଷୋୟୀ କହିଥିଲେ। ଏଥି ସହିତ ଉଭୟ ବିଧାୟକ ଅନ୍ଧାରକୋଟି ମନ୍ଦିରରେ ଚାଲୁ ରହିଥିବା ଉନ୍ନୟନ କାଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଅତିରିକ୍ତ ତହସଲଦାର ଅବିନାଶ ମାହାର, ଏନ୍ଏଚ୍ ଅଧିକାରୀ ସତୀଶ ପଟେଲ, ସାଂସଦ ପ୍ରତିନିଧି ଧୋବା ଗୌଡ, ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି,ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା କ୍ଷେତ୍ରରେ କଳିଙ୍ଗା ଘାଟିର ପ୍ରମୁଖ ଭୂମିକା ରହିଛି। ଇଂରେଜ ଶାସନ ଅମଳରୁ ଏହି ଘାଟିଦେଇ ଯାନବାହନ ଯାତାୟାତ ହେଉଥିବା ବେଳେ ଇତି ମଧ୍ୟରେ ଏହି ଘାଟିର ଅନେକ ରୂପରେଖ ବଦଳିଛି। କିନ୍ତୁ ଗତ କିଛି ବର୍ଷ ଧରି ଏହି ଘାଟିରେ ପଥର ଖସିବା ସହ ମାଟି ଧସେଇ ଖସିବା ଘଟଣା ନଜରକୁ ଆସୁଥିବା ବେଳେ ଗତ ୨୩ ତାରିଖ ରୁ ଘାଟି ରାସ୍ତା ବନ୍ଦ ରହିଥିବା ବେଳେ ଗଭୀର ଅବପାତ ପ୍ରଭାବରେ ଭୂସ୍ଖଳନ ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

