ଭଞ୍ଜନଗର,୫/୬,(ନିଲୁ ବିଷୋୟୀ): ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ସକାଳ ୯ଟା ପର ଠାରୁ ଘରୁ ବାହାରକୁ ଗୋଡ଼ କାଢ଼ିବା ଅସମ୍ଭବ ହେଉଛି। ପ୍ରବଳ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଲୋକ ଛଟପଟ ହେଉଛନ୍ତି। ଏହି ଗରମ ଏବଂ ଗୁଳୁଗୁଳି ରାତିରେ ମଧ୍ୟ ଲାଗି ରହୁଥିବା ବେଳେ ଶୁକ୍ରବାର ଅପରାହ୍ନ ସମୟରେ ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) କାମ କରୁଥିବା ବେଳେ ହଠାତ୍ ଟଳିପଡ଼ିଥିଲେ। ବିଶ୍ରାମ ନପାଇ କର୍ମଚାରୀ ଜଣଙ୍କ ଅଂଶୁଘାତର ଶିକାର ହୋଇ ଅକାଳ ବିୟୋଗ ହୋଇଥିବା ଅଭିଯୋଗ ହୋଇଛି।ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ବିଦ୍ୟୁତ୍ ଉପରେ ଚାପ ପଡ଼ୁଛି। ବାରମ୍ବାର ପାଓ୍ବାର କଟ୍ ହେଉଛି। ଫଳରେ କର୍ମଚାରୀମାନେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଚାପରେ ବାଧ୍ୟ ହୋଇ ଅଧିକ ସମୟ କାମ କରୁଛନ୍ତି। ଏହିଭଳି ଭଞ୍ଜନଗର ସହରତଳି ବିଛୁଆତିର ଦୁର୍ଗା ମାଧବ ଜେନା ଶୁକ୍ରବାର ଡୁମାକୁମ୍ପା ନିକଟରେ ପ୍ରବଳ ଗରମ ସତ୍ତ୍ୱେ ଅନ୍ୟ ସହଯୋଗୀମାନଙ୍କ ସହ କାମ କରୁଥିଲେ। ପ୍ରାୟ ସାଢ଼େ ୨ ଟାରୁ ୩ ଟା ମଧ୍ୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେଠାରେ କାର୍ଯ୍ୟରତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଦୁର୍ଗାମାଧବଙ୍କ ଗୋଟିଏ ଛୁଆ ଓ ସ୍ତ୍ରୀ ଅଛନ୍ତି। ଦୁର୍ଗାମାଧବଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତେଣୁ ତାଙ୍କ ପରିବାରକୁ ଟାଟା ପାୱାର ପକ୍ଷରୁ ପର୍ଯ୍ୟାପ୍ତ କ୍ଷତିପୂରଣ ଯୋଗାଇ ଦେବାସହ ସ୍ତ୍ରୀଙ୍କୁ କମ୍ପାନୀରେ ଚାକିରି ଦେବାକୁ ଦାବି ହୋଇଛି।ଦୁର୍ଗାମାଧବ ଜଣେ ମେଳାପୀ, ଶାନ୍ତ ସ୍ବଭାବର କର୍ମଚାରୀ ଥିବା ବେଳେ ଏହି ଘଟଣା ପରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।

