ହିଞ୍ଜିଳିକାଟୁ,୪।୧୧(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ବନ୍ୟାରେ ଭାସିଯାଇ ନିଖୋଜ ଥିବା ପୋଡ଼ିଙ୍ଗି ଗ୍ରାମର ଡ଼ା ନାହାକଙ୍କ ପରିବାରକୁ ଭେଟି ଦୁଃଖସୁଖ ବୁଝିବା ସହ ଆର୍ଥିକ ସହାୟତାର ହାତ ବଢ଼ାଇଛି ହିଞ୍ଜିଳି ବିଜେଡିର ଏକ ପ୍ରତିନିଧି ଦଳ। ହିଞ୍ଜିଳି ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ନେତା ଓ କର୍ମୀମାନେ ବନ୍ୟା ପାଣିରେ ନିଖୋଜ ବ୍ୟକ୍ତିଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାକ୍ଷାତ୍ କରିବା ସହ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୯ ତାରିଖରେ ବନ୍ୟାଜଳରେ ଭାସିଯାଇ ଡ଼ା ନାହାକ ନିଖୋଜ ହୋଇଯାଇଥିଲେ। ଦୀର୍ଘ ଦିନ ଧରି ତାଙ୍କର କୌଣସି ସନ୍ଧାନ ମିଳିନଥିବାରୁ ପରିବାର ଲୋକେ ଗଭୀର ଚିନ୍ତା ଓ ମାନସିକ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗତ ଅକ୍ଟୋବର ୩୧ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଜଣାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅବଗତ କରାଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ନିଖୋଜ ବ୍ୟକ୍ତିଙ୍କ ବାସଭବନକୁ ଯାଇ ପରିବାରକୁ କିଛି ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଥିଲେ। ଏଥିସହ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ। ତେବେ ହିଞ୍ଜିଳି ଥାନାରେ ରୁଜୁ ହୋଇଥିବା ମାମଲାରେ ଡା. ନାହାକ କେବଳ ନିଖୋଜ ଥିବା ଉଲ୍ଲେଖ ରହିଥିବା ବେଳେ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଥିବା ସମ୍ପର୍କିତ ତଥ୍ୟ ଉଲ୍ଲେଖ ନଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିଜେଡି ପ୍ରତିନିଧି ଦଳ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏତଲାରେ ବନ୍ୟାଜଳରେ ଭାସିଯାଇ ନିଖୋଜ ହୋଇଥିବା ସମ୍ପର୍କିତ ତଥ୍ୟ ସଂଶୋଧନ କରିବାକୁ ପଦକ୍ଷେପ ନେବା ପାଇଁ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗଞ୍ଜାମ ଜିଲ୍ଲାପାଳ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ଯୋଜନା ଅନୁଯାୟୀ ଯଥାସମ୍ଭବ ସହାୟତା ରାଶି ଯୋଗାଇଦେବାକୁ ଉଦ୍ୟମ କରାଯିବ ବୋଲି ଦଳୀୟ ନେତାମାନେ ଆଶ୍ୱାସନା ଦେଇଥିଲେ। ଅନ୍ୟପକ୍ଷରେ, ଏଭଳି ଦୁର୍ଦ୍ଦିନରେ ଏପର୍ଯ୍ୟନ୍ତ ଶାସକ ଦଳର କୌଣସି ନେତା କିମ୍ବା କର୍ମୀ ପରିବାର ପାଖରେ ପହଞ୍ଚି ଦୁଃଖ ବୁଝିନଥିବା ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ବିରୋଧୀ ଦଳ ନେତାଙ୍କ ଜିଲ୍ଲା ପରିଷଦ ସଭ୍ୟ ଦେବାନନ୍ଦ ମହାପାତ୍ର, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ଏ. ସୁଦର୍ଶନ, ପୌରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ, ବ୍ଲକ୍ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି, ସୁଭାଷ ପୋଲେଇ, ଶିବାନୀ ପାତ୍ରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

