ଖଜୁରୀପଡ଼ା,୧୫/୦୮(ମନୋଜ କୁମାର ବେହେରା):ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ସାମାଜିକ ଓ କୁଇ ସମାଜ, ପାଣ ସମାଜ,ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘ, ମେଡିକାଲ୍, ମା’ ଗୃହ , ଡ୍ରାଇଭର ସଂଘ, ବିଶ୍ଵକର୍ମା ମିସ୍ତ୍ରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନରେ ଜାତୀୟ ଉତ୍ସବ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଖଜୁରୀପଡ଼ା ସଦରମହକୁମା ସ୍ଥିତ ପିଏମ୍ ଶ୍ରୀ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମ୍ଠାରେ ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍କାଉଟ୍-ଗାଇଡ୍ଙ୍କ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଅତିଥି ଓ ଜନସାଧାରଣ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ପରିବେଷଣ କରାଯାଇଥିଲା। ଉତ୍କୃଷ୍ଟ ପ୍ୟାରେଡ୍ ପ୍ରଦର୍ଶନ କରିଥିବା ଦଳ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ସ୍ମରଣ କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ସର୍ବାଙ୍ଗୀଣ ଉନ୍ନତି ପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।ସମାରୋହରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଜାନୀ, ବିଡିଓ ଶୁଭ ଦତ୍ତାତ୍ରେୟ ବାହିନୀପତି, ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ, ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ, ବ୍ଲକ୍ ମଙ୍ଗଳ ଅଧିକାରୀ ରାଜେଶ ମୁର୍ମୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାରାଣୀ ମଳିକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ପୁଲିସ ଅଧିକାରୀ, ଜନପ୍ରତିନିଧି, ସାମ୍ବାଦିକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସ୍ୱେଚ୍ଛାସେବୀ ସଂଗଠନ ‘ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍’ର କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ। କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁରେଶ ନାୟକ ମଞ୍ଚ ପରିଚାଳନା ଓ ଗୋଷ୍ଠୀ ସୁରକ୍ଷା ଅଧିକାରୀ ମନୋଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ, ଉତ୍ସାହ ଓ ଉଦ୍ଦୀପନାର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

