ଖଜୁରୀପଡ଼ା,୦୨/୦୮( ମନୋଜ କୁମାର ବେହେରା ):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରି ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିଲେ।ବିଜ୍ଞାନ ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ ଓ ନିରୀକ୍ଷଣ ଦାୟିତ୍ୱ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଦୁଇଜଣ ବିଜ୍ଞାନ ଶିକ୍ଷକ ରଣଜିତ କୁମାର ସାନମାଝି ଓ ଜିତେନ୍ଦ୍ର ମାଝିଙ୍କୁ ଦିଆଯାଇଥିଲା। ଉଭୟ ଶିକ୍ଷକ ନିଷ୍ପକ୍ଷ ଓ ସୁଚାରୁ ଭାବେ ମୂଲ୍ୟାଙ୍କନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପାର୍ଥସାରଥୀ ପ୍ରଧାନ, ଆଚାର୍ଯ୍ୟ ରତ୍ନାକର କହଁର, ବିଜ୍ଞାନ ଆଚାର୍ଯ୍ୟା ସସ୍ମିତା ସାହୁଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଗୁରୁଜୀ, ଗୁରୁମା ଓ ମାଉସୀମାନେ ସକ୍ରିୟ ସହଯୋଗ କରିଥିଲେ। ବିଜ୍ଞାନ ପ୍ରତି ଶିଶୁମାନଙ୍କର ଆଗ୍ରହ ବୃଦ୍ଧି ସହ ସୃଜନଶୀଳ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ବିଜ୍ଞାନ ମେଳାକୁ ଅଭିଭାବକ ଓ ଉପସ୍ଥିତ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।

