ଭଞ୍ଜନଗର,୨୫।୧୦(ନିଲୁ ବିଷୋୟୀ):କୁମାର ପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଅବସରରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡିଛି। ସନ୍ଧ୍ୟାରେ ପୁଅଝିଅ ମାନେ ନୂଆଁ ପୋଷାକ ପରିଧାନ କରି ଜହ୍ନକୁ ଲିଆ ଫୋପାଡି ଏହି ଉତ୍ସବକୁ ପାଳନ କରୁଥିବା ବେଳେ ଦୁଇ ଦିନ ପଡୁଥିବାରୁ ଆସନ୍ତାକାଲି ମଧ୍ୟ କିଛି ଲୋକ ନୂଆ ପୋଷାକ ପିନ୍ଧିବାକୁ ମନସ୍ଥ କରିଛନ୍ତି। ଏଥିସହ ବିଭିନ୍ନ ସାହି ଗଳିରେ ଗଜଲକ୍ଷ୍ମୀ ପୂଜାକୁ ମଧ୍ୟ ଅନୁଷ୍ଠିତ ହୋଇଛି। ସହରର ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ବାଉଁଶଲୁଣ୍ଡିରେ ବାଞ୍ଛେେଶ୍ବର ପୂଜା କମିଟି ୧୯ ବର୍ଷରେ ଚଳିତ ବର୍ଷର ପୂଜା ଅନୁଷ୍ଠିତ ହେଉଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ନିଆରା ଭାବେ ମୂର୍ତ୍ତି ନିର୍ମାଣ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି।ମୁଜାଗଡ ଠାରେ ଷଷ୍ଠ ଥର ପାଇଁ ପୂଜା ହେଉଥିବା ବେଳେ ଆଜି କଳସ ଯାତ୍ରା ପରେ ପୂଜା ଆରମ୍ଭ ହୋଇଛି। ସେହିପରି ଘରୋଇ ବସ୍ ମାଲିକ ସଂଘ ଓ ବ୍ୟବସାୟୀ ସଂଘ ପକ୍ଷରୁ ବସ୍ଷ୍ଟାଣ୍ଡରେ ଧୁମ୍ଧୁମ୍ରେ ପୂଜା କରାଯାଉଥିବା ବେଳେ ଖାଲାସାହି,ଅଗଝୋଳ,ଗୋଲାପଡା,ଗାଲେରୀ, ବଡକୋଦଣ୍ଡା, ବାରୁଡ଼ା ଆଦି ଇଲାକାରେ ଗଜଲକ୍ଷ୍ମୀଙ୍କ ମୃଣୟ ମୃର୍ତ୍ତିକୁ ପୂଜା କରା ଯାଉଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣମୀ ଅବସରରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ଘର ଭିତରେ ମନୋରଞ୍ଜନ ପାଇଁ ତାସ୍ ଖେଳର ଆସର ଜମିବା ସହ ନୂଆ ଜାମପଟା ପିନ୍ଧି ପିଠାପଣାରେ ମାହୋମଲ ଜମିଥାଏ। କୁମାର ପୂର୍ଣ୍ଣମୀ ପାଇଁ ନୂଆ ଡ୍ରେସ୍ କିଣିବା ପାଇଁ ବିଭିନ୍ନ ଡ୍ରେସ୍ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

