ବାଙ୍ଗିରିପୋଷି : ତା-୧୩/୦୩ (ଜନ ବାଣୀ): ଗ୍ରାମାଞ୍ଚଳର ମେହନତି ଲୋକଙ୍କ ପାଇଁ ବାଉଁଶ କାମ ଆଜିବି ସମ୍ମାନ ସହିତ ବଞ୍ଚିବାର ଏକ ମୁଖ୍ୟ ରାସ୍ତା ହୋଇ ରହିଛି। ପୂର୍ବରୁ ମାହାଲି ସମ୍ପ୍ରଦାୟର କୌଳିକ ବୃତ୍ତି ଭାବେ ପରିଚିତ ଥିବା ବାଉଁଶ କାମ ବର୍ତ୍ତମାନ କେବଳ ଗୋଟିଏ ସମ୍ପ୍ରଦାୟରେ ସୀମିତ ନ ରହି ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଆପଣେଇ ଜୀବିକା ଉପାର୍ଜନ କରୁଛନ୍ତି। ଗ୍ରାମ ଅଞ୍ଚଳରେ ଅନେକ ପରିବାର ଆଜିବି ବାଉଁଶ କାମକୁ ନିଜର ମୁଖ୍ୟ ଜୀବିକା ଭାବେ ଧରିରଖିଛନ୍ତି।
କିନ୍ତୁ ଆଧୁନିକ ଯୁଗରେ ପ୍ଲାଷ୍ଟିକ ଓ ଫାଇବର ଦ୍ୱାରା ତିଆରି ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ବଢ଼ିବା ସହିତ ବାଉଁଶ ତିଆରି ଜିନିଷର ଚାହିଦା ଧୀରେ ଧୀରେ କମିବାରେ ଲାଗିଛି। ଏହା ସହିତ କାଗଜ କଳ, ଘର ନିର୍ମାଣ, ବଡ଼ ପୋଲ ଓ ଅନ୍ୟାନ୍ୟ କାମ ପାଇଁ ଗାଁ ଗୁଡ଼ିକରୁ ବହୁ ପରିମାଣରେ ବାଉଁଶ ଚାଲାଣ ହେଉଥିବାରୁ ଭଲ ବାଉଁଶ ମିଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଫଳରେ ବାଉଁଶର ଦାମ ବଢ଼ିବା ସହ ବାଉଁଶ କାରିଗରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତଥାପି ଏହି ସମସ୍ତ ଅସୁବିଧା ସତ୍ତ୍ୱେ ବାଉଁଶ କାମ ଆଜିବି ଗ୍ରାମାଞ୍ଚଳର ଅନେକ ପରିବାରକୁ ରୋଜଗାର ଦେଇଆସୁଛି। ସକାଳ ହେଲେ କାରିଗରମାନେ ବାଉଁଶ କାଟି, ଚିରି ଓ ଗଠନ କରି ବିଭିନ୍ନ ପ୍ରକାରର ନିତ୍ୟବ୍ୟବହାର ଜିନିଷ ତିଆରି କରନ୍ତି। ପୂର୍ବରୁ ଗୋଟିଏ ବାଉଁଶରୁ ବେଶି ପରିଶ୍ରମ କରି ମାତ୍ର ୮୦୦ ରୁ ୧୦୦୦ ଟଙ୍କା ରୋଜଗାର ହେଉଥିଲା। କିନ୍ତୁ ବର୍ତ୍ତମାନ ନୂତନ କୌଶଳ ଓ ଡିଜାଇନ୍ ପ୍ରୟୋଗ ଫଳରେ ଗୋଟିଏ ବାଉଁଶରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ଭବ ହେଉଥିବାରୁ କାରିଗରମାନେ ନୂତନ ଆଶା ଦେଖୁଛନ୍ତି।
ବାଉଁଶ ଦ୍ୱାରା ତିଆରି ଠେକା, କୁଲା, ଟୁପା, ଚଲା, ତୁଲି, ବାଂଚଡ଼ା, ବିଛଣା ଭଳି ନିତ୍ୟବ୍ୟବହାର ଜିନିଷ ଗାଁ ଗହଳିରେ ବ୍ୟାପକ ଭାବେ ବ୍ୟବହୃତ ହେଉଥିବାବେଳେ ସହରାଞ୍ଚଳରେ ମଧ୍ୟ ଏହାର ଚାହିଦା ଦେଖାଯାଉଛି। ବିଶେଷକରି ବିବାହ, ବ୍ରତଘର, ମନ୍ଦିର, ଶ୍ମଶାନ ଘାଟ ଭଳି ବିଭିନ୍ନ ସ୍ଥାନରେ ବାଉଁଶ ତିଆରି ସାମଗ୍ରୀର ବ୍ୟବହାର ହେଉଥାଏ।
ବାଙ୍ଗିରିପୋଷି ବ୍ଲକର କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ଶାଳବଣି ଗ୍ରାମରେ ଆଦିବାସୀ ଓ ହରିଜନ ସହ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବାଉଁଶ କାମକୁ ଆଜିବି ଜୀବନ୍ତ ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ମାଧ୍ୟମରେ “ବାବା ବିଶ୍ୱକର୍ମା” ପୁରୁଷ ଗ୍ରୁପ ଓ “ମା’ ମନସା” ମହିଳା ଏସଏଚଜି ଗୋଷ୍ଠୀ ଦ୍ୱାରା ବାଉଁଶରୁ ନୂତନ ନୂତନ ସଜାଣା ସାମଗ୍ରୀ ତିଆରି ହେଉଛି। ଫୁଲଝତି, ଭଗଳ, ମୟୂର, କଇଁଛ, ମୋବାଇଲ ଷ୍ଟାଣ୍ଡ, ଚାବି ରିଙ୍ଗ, ହ୍ୟାଙ୍ଗର ଓ ଜାହାଜ ପରି ଆକର୍ଷଣୀୟ ସାମଗ୍ରୀ ତିଆରି କରି ସେମାନେ ବଜାରରେ ଭଲ ଚାହିଦା ହାସଲ କରିଛନ୍ତି।
ଏହି ସମସ୍ତ ସାମଗ୍ରୀକୁ ଚୈତ୍ରପର୍ବ, ଜଗଧାତ୍ରୀ ମେଳା, ପଲ୍ଲିଶ୍ରୀ ମେଳା ଓ ଆଦିବାସୀ ମେଳା ଭଳି ବିଭିନ୍ନ ମେଳାରେ ବିକ୍ରି କରି କାରିଗରମାନେ ଭଲ ଆୟ କରୁଛନ୍ତି। ଏହା ମାଧ୍ୟମରେ ସେମାନେ ନିଜ ପରିବାରକୁ ଚାଲାଇବା ସହ ସନ୍ତାନମାନଙ୍କ ପାଇଁ ଭଲ ଭବିଷ୍ୟତ ଗଢ଼ିପାରୁଛନ୍ତି ବୋଲି ତାରାବତୀ କୁଅଁର, ପଦ୍ମଲୋଚନ କୁଅଁର ଓ ମନରଞ୍ଜନ ବୌଠା ପ୍ରମୁଖ ବାଉଁଶ କାରିଗର ପ୍ରକାଶ କରିଛନ୍ତି।
ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ପ୍ରୟାସରେ ବାଉଁଶ କାରିଗରମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ଓ ସେମାନଙ୍କ ତିଆରି ସାମଗ୍ରୀ ବିକ୍ରି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଥିଲା। ଏହା ଫଳରେ କାରିଗରମାନେ ନୂତନ ଡିଜାଇନ୍ ଓ କୌଶଳ ଶିଖି ନିଜର କାମକୁ ଆହୁରି ଆଗକୁ ବଢ଼ାଇପାରିଛନ୍ତି।
ତଥାପି ବହୁ ଲୋକ ଏହି କୌଳିକ ବୃତ୍ତିକୁ ଛାଡ଼ି ଭାଗ ଚାଷ, ଦିନମଜୁରୀ କାମ କିମ୍ବା ଦୂର ରାଜ୍ୟଗୁଡ଼ିକୁ ଦାଦନ ଖଟିବାକୁ ଯାଉଛନ୍ତି। ଏମିତି ପରିସ୍ଥିତିରେ ସରକାରୀ ପ୍ରୋତ୍ସାହନ ଓ ସହଯୋଗ ମିଳିଲେ ବାଉଁଶ କାରିଗରମାନେ ଆହୁରି ଉନ୍ନତି କରିପାରିବେ ଏବଂ ଏହି ପାରମ୍ପରିକ କଳାକୁ ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଜୀବନ୍ତ ରଖିପାରିବେ ବୋଲି ସ୍ଥାନୀୟ ଲୋକମାନଙ୍କ ମତ।

