ଭଞ୍ଜନଗର,୧୨।୯(ନିଲୁ ବିଶୋୟୀ):ଭଞ୍ଜନଗର ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ନେଇ ଶୁକ୍ରବାର ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଖୋଦ୍ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ସମସ୍ତ ପିଆରଆଇ ମେମ୍ବର ମାନେ ଏନେଇ ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ସୁଦୀପ୍ତ ବେହେରାଙ୍କ ଉପସ୍ଥିତରେ ଭଞ୍ଜନଗର ଅଞ୍ଚଳରେ କିଭଳି ଭାବେ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି ଦୃଷ୍ଟି ଆକର୍ଷଣ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ବୈଠକ ଚାଲିଥିବା ସମୟରେ ବାରମ୍ବାର ବିଦ୍ୟୁତ୍ କାଟ ହୋଇଥିଲା। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିନା ସୂଚନା ଓ ମରାମତି ଆଳରେ ବିଦ୍ୟୁତ୍ କାଟ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ବିଜୁଳି ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣି ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଭାବେ ଉନ୍ନତମାନର ବିଜୁଳି ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ ବିଦ୍ୟୁତଶକ୍ତି ବଣ୍ଟନରେ ଯେଉଁ ସଂସ୍କାର କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା ତାହା ଦୀର୍ଘ ବର୍ଷ ପରେ ମଧ୍ୟ ଲକ୍ଷ୍ୟ ପୂରଣ କରିପାରି ନଥିବା ଅନୁଭୂତ ହେଉଛି। ବିଦ୍ୟୁତ ଉପଭୋକ୍ତାଙ୍କୁ ନିରନ୍ତର ଓ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ସଠିକ ପରିଚାଳନା ପାଇଁ ଘରୋଇ ସଂସ୍ଥା ଟାଟା ପାୱାର ଲିମିଟେଡ଼ କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁନଥିବା ଲୋକେ ଅଭିଯୋଗ କରୁଛନ୍ତି। ଟିପିଏସଓଡ଼ିଏଲ ର ମନମୁଖୀ କାଯ୍ୟ ଯୋଗୁଁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଭାବେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ଉପଭୋକ୍ତା ଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଉଛି। ଦୈନିକ ୪/୬ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି। ବିନା ସୂଚନାରେ ବିଦ୍ୟୁତ କାଟ ହେଉଥିବା ବେଳେ ରାତ୍ର ସମୟରେ ବିଦ୍ୟୁତ ବିଚ୍ଛିନ୍ନ ହେଲେ ତାହା ସମାଧାନ ହେଉନାହିଁ। ବିଦ୍ୟୁତ କାଟର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ରହୁନି। ବିଦ୍ୟୁତ ସରବରାହ ସ୍ବାଭାବିକ ହେବାର କିଛି ସମୟ ପରେ ପୁଣି ଥରେ କାଟ ହେଉଛି।ଯାହା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ମେଣ୍ଟେନାନ୍ସର ଆଳ ଦେଖାଇ ବାରମ୍ବାର ପାୱାର କଟ୍ କରାଯାଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଗ୍ରାମାଞ୍ଚଳ ଗୁଡିକରେ ଚୋରି ବଢିବା ଆଶଙ୍କା ଥିବାରୁ ଏହାର ସମାଧାନ ଦାବି ହୋଇଛି।

