ବୁଗୁଡା,୨୦।୮(କୁମୁଦ ଚନ୍ଦ୍ର ବେହେରା):ଗାଈଗୋରୁ ରଖୁଛନ୍ତି , ହେଲେ କାର୍ଯ୍ୟ ହାସଲ ପରେ ସେମାନଙ୍କ ଯତ୍ନ ନ ନେଇ ଖୋଲା ଛାଡ଼ି ଦେଉଛନ୍ତି ମାଲିକ । ଏହା ବୁଗୁଡ଼ା ସହରର ନିତିଦିନିଆ ଘଟଣା। ରାସ୍ତା ଉପରେ ଗାଈଗୋରୁ ଛିଡ଼ା ହୋଇ ରହୁଥିବା ବେଳେ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏଥିସହ ଅନ୍ୟର ଜମିରେ ପଶି ତଳି ଖାଇ ନଷ୍ଟ କରୁଛନ୍ତି , ଯାହା ଫଳରେ ଚାଷୀଙ୍କ ସମସ୍ୟା ମଧ୍ୟ ବଢୁଛି। ଏପରିକି ପରିବା କିଣି ଗାଡିରେ ଲଗାଇଥିଲେ ତାହାକୁ ଟାଣି ଖାଇବା ସହ ଗାଡିକୁ ଓଲଟାଇ ଦେଉଛନ୍ତି ଏବଂ ରାସ୍ତାକଡ ଦୋକାନରୁ ଜଳଖିଆ ଖାଉଥିବା ଲୋକେ ଟିକିଏ ଅନ୍ୟମନସ୍କ ରହିଲେ ହାତରୁ ଜଳଖିଆ ପ୍ଲେଟ୍କୁ ଟାଣି ନେଉଛନ୍ତି। ଫଳରେ ଏହି ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ଯୋଗୁଁ ଲୋକେ ପ୍ରତ୍ୟେକ କ୍ଷେତ୍ରରେ ହଇରାଣ ହେଉଛନ୍ତି। ଏନ୍ଏସି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବୁଗୁଡାରେ କାଞ୍ଜିଆ ହୁଦା କାମ କରୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଲୋକ ଅଭିଯୋଗ କରିଛନ୍ତି । ବୁଗୁଡା ସହରର ବସଷ୍ଟାଣ୍ଡ ଛକ, ହାଇସ୍କୁଲ ଛକ, ମଦନମୋହନ ଛକ, ମେଡିକାଲ ଛକ, ବ୍ଲକ ଛକ ଏବଂ ବଡଦାଣ୍ଡ ଆଦି ବିଭିନ୍ନ ସ୍ଥାନ ସମେତ ବିଭିନ୍ନ ସାହିରେ ଗୋରୁ ପଲଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବୁଗୁଡା ଦେଇ ଯାଇଥିବା ରାଜ୍ୟ ରାଜପଥରେ ମାଳମାଳ ଗାଈଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି।ଏଥି ଯୋଗୁଁ ଅନେକ ସମୟରେ ଜରୁରୀ କାମରେ ଯାଉଥିବା ଲୋକେ ଫସି ରହୁଛନ୍ତି । ମାଲିକମାନେ କ୍ଷୀର ବାହାର କରିବା ପରେ ଖୋଲା ଛାଡ଼ି ଦେଉଛନ୍ତି । ଫଳରେ ସେମାନେ ବାହାରେ ବୁଲି ଏଭଳି କରୁଛନ୍ତି । ଏନେଇ ବାରମ୍ବାର ଗଣମାଧ୍ୟମ ଖବର ପ୍ରକାଶ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ତୁରନ୍ତ ଏହି ସମସ୍ୟାର ସମାଧାନ ସହ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ତୀବ୍ର ଦାବି ହେଉଛି।

