ଫୁଲବାଣୀ,୩।୧୦(ସୁନୀଲ ପଟ୍ଟନାୟକ):ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସମୀର କୁମାର ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ପ୍ରଶାସନ ଏକାଦଶ, ବିଚାର ବିଭାଗ ଏକାଦଶ, ଗଣମାଧ୍ୟମ ଏକାଦଶ ଓ ଆଇନଜୀବୀ ଏକାଦଶ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ୍ରେ ଆଇନଜୀବୀ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଆଇନଜୀବୀ ଏକାଦଶ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ବିଚାର ବିଭାଗ ଏକାଦଶକୁ ପରାସ୍ତ କରି ଜିଲ୍ଲା ପ୍ରଶାସନ ଏକାଦଶ ଫାଇନାଲ୍ରେ ପହଞ୍ଚିଥିଲା। ଫାଇନାଲ୍ ମ୍ୟାଚ୍ରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଆଇନଜୀବୀ ଏକାଦଶ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଏକାଦଶ ବିଜୟୀ ହୋଇ ଚମ୍ପିଆନ୍ ହୋଇଥିବା ବେଳେ ଆଇନଜୀବୀ ଏକାଦଶ ରନର୍ସଅପ୍ ହୋଇଥିଲା। ସମଗ୍ର ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ସ୍ୱତନ୍ତ୍ର କମେଣ୍ଟ୍ରି ଉପସ୍ଥିତ ଦର୍ଶକ ଓ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା। ତାଙ୍କ କମେଣ୍ଟ୍ରି ଖେଳର ରୋମାଞ୍ଚକୁ ଆହୁରି ବଢ଼ାଇଥିଲା। ଜିଲ୍ଲା ପ୍ରଶାସନ ଏକାଦଶର ଅଧିନାୟକ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ଚରଣ ସାହୁ ଦଳର ନେତୃତ୍ୱ ନେଇଥିଲେ। କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ ଖେଳରେ ଅଂଶଗ୍ରହଣ କରିଥିଲେ। ଖେଳ ଶେଷରେ କନ୍ଧମାଳ ଜିଲ୍ଲା ଦୌରାଜଜ୍ ଶ୍ରୀ ରାମଶଙ୍କର ହୋତା ଚମ୍ପିଆନ୍ ଓ ରନର୍ସଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ସେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଖେଳ ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଗାନ୍ଧୀ ଜୟନ୍ତୀରେ ଆୟୋଜିତ ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଜିଲ୍ଲା ପ୍ରଶାସନ, ବିଚାର ବିଭାଗ, ଆଇନଜୀବୀ ଓ ଗଣମାଧ୍ୟମ ମଧ୍ୟରେ ସୁସମ୍ପର୍କ ଓ ସହଯୋଗର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା।

