ବ୍ରହ୍ମପୁର,୨୯।୯(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ଗେଟ୍ ବଜାର ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ ପରେ ଶେଷରେ ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଜୁଲାଇ,୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରକଳ୍ପରେ ନିମ୍ନ ମାନର ସିମେଣ୍ଟ, ବାଲି ବ୍ୟବହାର ହେଉଥିବା ଓ ତଦାରଖରେ ଅବହେଳା ହେଉଥିବା ଅଭିଯୋଗ କରିଥିଲେ। ସେ ଭୁବନେଶ୍ୱର ବୋମିଖାଲ ଫ୍ଲାଏ ଓଭର ଭୁଶୁଡିବା ଘଟଣାର ଉଦାହରଣ ଦେଇ ସ୍ୱତନ୍ତ୍ର ଟେକ୍ନିକାଲ ଅଡିଟ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ପୂର୍ତ୍ତ ବିଭାଗ ତରଫରୁବ୍ରହ୍ମପୁର ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂଜିନିୟର ପିନାକୀ ପ୍ରସାଦ ସ୍ୱାଇଁ ଙ୍କନେତୃତ୍ୱରେ ୯ ଜଣିଆ ଦଳ କାର୍ଯ୍ୟ ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଟିମ୍ ଫ୍ଲାଏ ଓଭରର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଲାବୋରେଟୋରୀ ପରୀକ୍ଷା ପାଇଁ ପଠାଇଛି। କାମ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହେଉଛି କି ନାହିଁ ତାହା ପରୀକ୍ଷା କରାଯିବ। ଯାଞ୍ଚ ପରେ ବିଭାଗକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ଏବଂ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।ସୂଚନାଯୋଗ୍ୟ, ପ୍ରାୟ ୧୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଫ୍ଲାଏ ଓଭର ଏବେ ସୁଦ୍ଧା ମାତ୍ର ୩୬% କାମ ସରିଛି। ଗତ ସପ୍ତାହରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମଧ୍ୟ ସ୍ଥାଣୁ ପରିଦର୍ଶନ କରି ଜୁଲାଇ ୨୦୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

