ଚିକିଟି,୩୦/୦୫,(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ ଉଚ୍ଚ ବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଅଦ୍ୟ ପରଲୋକ ପ୍ରାପ୍ତ କରିଛନ୍ତି।ଶ୍ରୀ ସାହୁ ଜଣେ ଅଭିଜ୍ଞ ଶିକ୍ଷାବିଦ୍ ତଥା ନିଷ୍ଠାବାନ୍ ଶିକ୍ଷକ ଭାବରେ ପରିଚିତ ଥିଲେ। ସେ ଚିକିଟି ପେଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା କାଳରୁ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ ଦେଇ ବିଦ୍ୟାଳୟର ମୂଳ ଭିତ୍ତି ସୃଷ୍ଟି କରିଥିଲେ। ତାଙ୍କର ନିରନ୍ତର ପ୍ରୟାସ ଓ ଅନୁଶାସନ ପ୍ରିୟ ବ୍ୟକ୍ତିତ୍ୱ ଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।ଆଜି ଶିକ୍ଷା କ୍ଷେତ୍ରରେ ଯେତେବେଳେ ମୂଲ୍ୟବୋଧର ଅବକ୍ଷୟ ନେଇ ଚର୍ଚ୍ଚା ହେଉଛି, ସେତେବେଳେ ସାହୁଙ୍କ ପରି ଶିକ୍ଷକମାନଙ୍କ ଜୀବନ ଓ କର୍ମ ନୂତନ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ସରଳ ଜୀବନଶୈଳୀ, କର୍ତ୍ତବ୍ୟପରାୟଣତା ଓ ଛାତ୍ରମାନଙ୍କ ପ୍ରତି ଅକୃତ୍ରିମ ସ୍ନେହ ତାଙ୍କୁ ସାଧାରଣ ଶିକ୍ଷକଙ୍କଠାରୁ ଅଲଗା ପରିଚୟ ଦେଇଥିଲା।ଜୀବନର ଅନ୍ତିମ ଯାତ୍ରାରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ମଧ୍ୟ ତାଙ୍କ ଆଦର୍ଶ, ତାଙ୍କ ଅବଦାନ ଏବଂ ତାଙ୍କ ଦ୍ୱାରା ଗଢ଼ା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସଫଳତା ତାଙ୍କୁ ଚିରସ୍ମରଣୀୟ କରି ରଖିବ। ଏଭଳି ବ୍ୟକ୍ତିତ୍ୱମାନେ ଶରୀରରେ ନ ଥାଇ ମଧ୍ୟ ନିଜ କର୍ମରେ ଅମର ହୋଇ ରହନ୍ତି।

