* ଚିକିଟି,୨/୪(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକରେ ବିଡ଼ିଓଙ୍କ ମନମୁଖୀ ଓ ଅନିୟମିତ କାର୍ଯ୍ୟ ପ୍ରତି ଦିନକୁ ଦିନ ଅସନ୍ତୋଷ ବଢ଼ୁଛି। ବ୍ଲକ ଅଧକ୍ଷ ଓ ଅନେକ ସରପଞ୍ଚ ଏହି କାର୍ଯ୍ୟପ୍ରଣାଳୀକୁ କଡା ଭାବରେ ବିରୋଧ କରିଛନ୍ତି ଏବଂ ଏହାକୁ ଗଣତନ୍ତ୍ରୀୟ ପ୍ରଣାଳୀ ପ୍ରତି ଅବମାନ ବୋଲି କହିଛନ୍ତି।ସୂଚନା ଅନୁସାରେ, ବିଡ଼ିଓ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଅବହେଳା କରୁଥିବା ଅଭିଯୋଗ ଉଠିଛି। ବ୍ଲକ ଅଧକ୍ଷଙ୍କ କଥାନୁସାରେ ଗ୍ରାମସଭାରେ ଅନୁମୋଦିତ କାର୍ଯ୍ୟ ଗୁଡିକୁ ବ୍ଲକ ଅଧକ୍ଷଙ୍କ ଜରିଆରେ ବିଡିଓଙ୍କୁ ପ୍ରଦାନ କରାଯାଉଛି, କିନ୍ତୁ ଜିଲ୍ଲାପାଳଙ୍କ ଅନୁମୋଦନ ଆସିବା ବେଳକୁ ଭିନ୍ନ କାର୍ଯ୍ୟ ଗୁଡିକ ଆସୁଥିବାରୁ ଏବଂ ଅନେକ ନିଷ୍ପତ୍ତି ସେମାନଙ୍କ ସହ ଆଲୋଚନା ବିନା ନିଆଯାଉଛି, ଯାହା ପଞ୍ଚାୟତୀରାଜ ବ୍ୟବସ୍ଥାର ମୂଳ ଆଦର୍ଶକୁ ଆଘାତ କରୁଛି। ଏହାକୁ ନେଇ ଆଜି ପୂର୍ବତନ ମନ୍ତ୍ରୀ ଉଷାଦେବୀ, ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେଓଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ମାନେ ବିଡ଼ିଓଙ୍କୁ ଘେରାଉ କରିଥିଲେ। ଅନ୍ୟପଟେ, କିଛି ସରପଞ୍ଚ ମାନେ କହିଛନ୍ତି ଯେ, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନରେ ପାରଦର୍ଶିତାର ଅଭାବ ରହିଛି ଓ ସ୍ଥାନୀୟ ସ୍ତରରେ ସମନ୍ୱୟ ନଥିବାରୁ ଲୋକମାନେ ସେବାରୁ ବଞ୍ଚିତ ହେଉଛନ୍ତି। ଏହି ପରିସ୍ଥିତିରେ ବ୍ଲକ ଅଧକ୍ଷ ଓ ସରପଞ୍ଚମାନେ ବିଡ଼ିଓଙ୍କୁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଦାବୀ କରିଥିଲେ। ଏହାର ନିଷ୍ପକ୍ଷ ତଦନ୍ତ ହେଉ ଏବଂ ଯଥୋଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଦାବୀ ଉପସ୍ଥାପନା କରିଅଛନ୍ତି। ଏହି ଘଟଣା ଚିକିଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।

