ଭଞ୍ଜନଗର,୧୦/୫,(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ ପୁଣି ହାତୀ ମୃତ୍ୟୁ ହୋଇଛି। ଗତ ମାର୍ଚ୍ଚ ମାସରେ ଆମ୍ବଝରା ଜଙ୍ଗଲରୁ ଏକ ହାତୀର ମୃତଦେହ ମିଳିଥିବା ବେଳେ ଶନିବାର ଘୋଗଡ଼ ସଂରକ୍ଷିତ ଜଙ୍ଗଲ ଘୋଗଡ଼ ଦକ୍ଷିଣ ବିଟ୍ ତାଳଗଣ୍ଡ ଗାଁ ନାଳ ନିକଟରୁ ଏକ ଦନ୍ତାହାତୀର ଗଳିତ ଶବ ଠାବ ହୋଇଛି। ହାତୀର ବୟସ ଆନୁମାନିକ ୧୨ରୁ ୧୪ ବର୍ଷ ହେବ। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ୪ରୁ ୫ ଦିନ ପୁର୍ବରୁ ହାତୀଟି ମୃତ୍ୟୁ ବରଣ କରିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡିଛି। ରବିବାର ଭୁବନେଶ୍ଵରର ଜେଟିଏଫ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିବା ସହ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ କରି ନିକଟରେ ହାତୀର ମୃତଦେହ ପୋତାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି। ସୂଚନାନୁସାରେ,ଉକ୍ତ ହାତୀଟି ପଡ଼ୋଶୀ ନୟାଗଡ଼ ଜିଲ୍ଲା ମଣିପୁର ରେଞ୍ଜ ର ଏକ ୬ ଟିକିଆ ହାତୀପଲ ସହ ଘୂରି ବୁଲୁଥିଲା। ଅସୁସ୍ଥ ହୋଇଥିବା ଜଣାପଡ଼ିବା ପରେ ନୟାଗଡ଼ ବନବିଭାଗ ପକ୍ଷରୁ ତା’ର ଚିକିତ୍ସା ଜାରି ରହିଥିଲା। ହେଲେ ଗତ ୨ ତାରିଖରେ ହାତୀଟି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଘୋଗଡ଼ ସେକ୍ସନକୁ ଆସିଥିବା ବେଳେ ଅସୁସ୍ଥ ହାତୀ ଉପରେ ବନବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ହେଲେ ଶନିବାର ସନ୍ଧ୍ୟାରେ ତାଳଗଣ୍ଡ ନାଳ ନିକଟରୁ ଦନ୍ତାର ମୃତଦେହ ଠାବ ହୋଇଥିଲା।ରବିବାର ଜେଟିଏଫ୍ ଏସପି ବଟକୃଷ୍ଣ ମିଶ୍ର,ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏସିଏଫ୍ ବିମଳ ଚନ୍ଦ୍ର ପ୍ରଧାନ, ବିବେକ ଦାସ, ତାରସିଂ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଯୁଗ୍ମ ଟାସ୍କ ଫୋର୍ସ ଅଧିକାରୀଙ୍କ ଉପସ୍ଥିତିରେ ହାତୀ ମୃତ୍ୟୁର ସରଜମିନ୍ ଦତନ୍ତ କରାଯାଇଥିଲା। ପରେ ଜଗନ୍ନାଥପ୍ରସାଦ,ବେଲଗୁଣ୍ଠା ଓ ତାରସିଂ ଭିଏସ୍ ଙ୍କୁ ନେଇ ଗଠିତ ତିନି ଜଣିଆ ପଶୁ ଡାକ୍ତରୀ ଦଳ ତତ୍ତ୍ବାବଧାନରେ ଶବ ବ୍ୟବଚ୍ଛେବ କରାଯାଇଥିଲା। ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ନିକଟରେ ଗାତ ଖୋଳି ପୋତାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ ରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

