ବୋଲଗଡ଼,୨୪।୧୦(ସୁଶାନ୍ତ କୁମାର ପ୍ରଧାନ):ଶରୀରରେ ରକ୍ତ ନଥିଲେ ମଣିଷ ମରିଯାଏ, ଗାଁ ଦେହରେ ପାଣି ନଥିଲେ ଗାଁ ମରିଯାଏ। ଆଜି ଠିକ୍ ସେହି ଅବସ୍ଥା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଚମ୍ପାଇଲୋ ଗ୍ରାମର। ଗତ ଏକ ମାସ ହେବ ଏ ଗାଁର ନଳରୁ ଗୋଟିଏ ଟୋପା ପାଣି ବି ବାହାରୁନି। ତୃଷାର୍ତ୍ତ କଣ୍ଠରେ କେବଳ ଗୋଟିଏ ପ୍ରଶ୍ନ – ପାଣି କାହିଁ ? ସୂଚନା ଅନୁଯାୟୀ, ଚମ୍ପାଇଲୋର ପିଇବା ପାଣି ପ୍ରକଳ୍ପଟି ଦୁଇଟି କାରଣରୁ ଅଚଳ ହୋଇ ପଡିଛି। ପ୍ରଥମତଃ, ମାସ ମାସ ଧରି ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ବିଭାଗ ବିଦ୍ୟୁତ୍ ସଂଯୋଗ କାଟି ଦେଇଛି। ଦ୍ୱିତୀୟତଃ, ପ୍ରକଳ୍ପରେ ଲାଗିଥିବା ଡିଜିଟାଲ ମିଟରରେ ଟଙ୍କା ସରିଯାଇଛି, ରିଚାର୍ଜ ହୋଇନାହିଁ। ଅର୍ଥାତ୍ ଗୋଟିଏ ପଟେ ବିଦ୍ୟୁତ୍ ନାହିଁ, ଅନ୍ୟ ପଟେ ମୋଟର ବନ୍ଦ। ଏହି ଅସହ୍ୟ ଅବସ୍ଥା ବିଷୟରେ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ସମସ୍ତଙ୍କ କବାଟ ବାଡେଇ ସାରିଲେଣି। କିନ୍ତୁ ଆଶ୍ୱାସନା ଛଡା ଆଉ କିଛି ମିଳିନାହିଁ। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ବୋଲଗଡ଼ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସେଠାରୁ ବି ନିରାଶା ହିଁ ମିଳିଲା। ଫାଇଲ୍ ଗଡୁଛି, ପାଣି ଗଡୁନି।ବିଡମ୍ବନା ଦେଖନ୍ତୁ, ଏପଟେ ପୁରୁଣା ପ୍ରକଳ୍ପ ଅଚଳ, ସେପଟେ କୋଟି କୋଟି ଟଙ୍କାର ମହାନଦୀ ବୃହତ୍ ପାନୀୟ ଜଳ ପ୍ରକଳ୍ପର ପାଇପ୍ ଆଜି ଯାଏଁ ଚମ୍ପାଇଲୋ ମାଟି ଛୁଇଁ ନାହିଁ। ପୁରୁଣା ମରିଛି, ନୂଆ ଜନ୍ମ ହୋଇନାହିଁ। ମଝିରେ ପିପାସାରେ ଛଟପଟ ହେଉଛି ଚମ୍ପାଇଲୋ। ଏ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମାନବିକତା ଦେଖାଇ ନିଜ ବ୍ୟକ୍ତିଗତ ଖର୍ଚ୍ଚରେ ଟ୍ୟାଙ୍କର ଯୋଗେ ପାଣି ପଠାଉଛନ୍ତି। କିନ୍ତୁ ଚମ୍ପାଇଲୋ ସହ ସାନବାଡକୁ ମିଶାଇ ଯେଉଁ ବିଶାଳ ଜନସମୁଦ୍ର, ସେ ଆଗରେ ଟ୍ୟାଙ୍କର ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ। ଏହି ଦାୟିତ୍ୱହୀନତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବହ୍ନି ଜଳୁଛି। ସେମାନେ ଚେତାବନୀ ଦେଇଛନ୍ତି, ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ବିଦ୍ୟୁତ୍ ବିଲ୍ ପୈଠ କରି ପ୍ରକଳ୍ପକୁ ସଚଳ କରା ନଯାଏ, ତେବେ ଖାଲି ହାଣ୍ଡି ଓ ଡେକଚି ଧରି ସେମାନେ ରାଜରାସ୍ତାକୁ ଓହ୍ଲାଇବେ।

