ବୋଲଗଡ଼:୧୨/୧୦(ସୁଶାନ୍ତ କୁମାର ପ୍ରଧାନ):ଶାରଦୀୟ ନବରାତ୍ରୀର ଦ୍ଵିତୀୟ ଦିବସରେ ପୂଜା ପାଆନ୍ତି ମା’ ବ୍ରହ୍ମଚାରିଣୀ। ନବଦୁର୍ଗାର ଦ୍ଵିତୀୟ ରୂପ ଏହି ଦେବୀ ହେଉଛନ୍ତି ତପ, ତ୍ୟାଗ ଓ ସଂଯମର ପ୍ରତୀକ।ଶାସ୍ତ୍ର କହେ, ପାର୍ବତୀ ମହାଦେବ ଶିବଙ୍କୁ ପତି ରୂପେ ପାଇବା ପାଇଁ ହଜାର ବର୍ଷ ଧରି କଠୋର ତପସ୍ୟା କରିଥିଲେ। ଗୋଟିଏ ହାତରେ ଜପ ମାଳା ଓ ଅନ୍ୟ ହାତରେ କମଣ୍ଡଳୁ ଧାରଣ କରି ସେ ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଲେ ଅନୁଶାସନ ହିଁ ଉପାସନାର ସର୍ବୋଚ୍ଚ ରୂପ।ଆଜି ଆମେ ଯେଉଁଠି କ୍ଷଣିକ ଲାଇକ୍, କମେଣ୍ଟ ଓ ଭାଇରାଲ୍ ହେବା ପଛରେ ଦୌଡୁଛୁ, ସେଠି ମା’ ବ୍ରହ୍ମଚାରିଣୀ ଆମକୁ ଧୈର୍ଯ୍ୟ ଶିଖାନ୍ତି। ସେ କହନ୍ତି ସୌନ୍ଦର୍ଯ୍ୟ ପ୍ରଦର୍ଶନରେ ନୁହେଁ, ସାଧନାରେ ନାରୀର ପ୍ରକୃତ ଶକ୍ତି।ପୋଷାକର ଚାକଚକ୍ୟରେ ନୁହେଁ, ଚରିତ୍ରର ଦୃଢତାରେ ସମ୍ମାନ। ଯେଉଁ ଝିଅ ନିଜ ଲକ୍ଷ୍ୟ ପାଇଁ ତପସ୍ୟା କରେ, ପଢେ, ନିଜକୁ ଗଢେ – ତାକୁ ସୁରକ୍ଷା ଦେବା ପାଇଁ କୌଣସି ପୁରସ୍କାର ବା ଆଇନର ଆବଶ୍ୟକତା ନାହିଁ। ସେ ନିଜେ ନିଜର ଦୁର୍ଗ ହୋଇଯାଏ। ଆସନ୍ତୁ, ନବରାତ୍ରୀର ଏହି ଦ୍ଵିତୀୟ ଦିନରେ ଆମେ ଆମ ଝିଅମାନଙ୍କୁ କେବଳ ସିନ୍ଦୂର, ଶାଢ଼ୀ ଓ ଅଳଙ୍କାରରେ ସଜାଇବା ପରିବର୍ତେ, ଶିକ୍ଷା, ସଂସ୍କାର ଓ ଆତ୍ମବିଶ୍ୱାସର ଅସ୍ତ୍ରରେ ସଜ୍ଜିତ କରିବା। କାରଣ ମା’ ବ୍ରହ୍ମଚାରିଣୀ ଶିଖାନ୍ତି ଯେଉଁ ନାରୀ ନିଜ ଭିତରର ବ୍ରହ୍ମକୁ ଚିହ୍ନେ, ତାକୁ ଦୁନିଆର କୌଣସି ଶକ୍ତି ହରାଇ ପାରେନା।

