ବୁଗୁଡ଼ା,୨୫/୦୫,(ଡ.କୁମୁଡ ଚନ୍ଦ୍ର ବେହେରା):ବୁଗୁଡ଼ା ଏନ୍ଏସିର ୱାର୍ଡ ନଂ- ୧ ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗ୍ରାମରେ ସର୍ବସାଧାରଣଙ୍କ ସୁବିଧା ପାଇଁ ନିର୍ମିତ ଗୋଷ୍ଠୀ ଶୌଚାଳୟଟି ବିଦ୍ୟୁତ୍ ସଂଯୋଗ ଅଭାବରୁ କୌଣସି କାମରେ ନଆସି ଖତ ଖାଉଥିବା ଅଭିଯୋଗ ହେଉଛି । କାଞ୍ଜିଆପଲ୍ଲୀ ଗ୍ରାମ ଉପକଣ୍ଠରେ ପୋଖରୀ ନିକଟରେ ସେହି ଶୌଚାଳୟଟି ନିର୍ମାଣ ହେବାର ଦୁଇ ବର୍ଷରୁ ଅଧିକ କାଲ ଅତିବାହିତ ହୋଇଯାଇଥିଲେ ହେଁ ପ୍ରଶାସନିକ ଉଦାସୀନତା ଏବଂ ଜନ ପ୍ରତିନିଧିଗଣଙ୍କ ଅପାରଗତା କାରଣରୁ ତାହା କୌଣସି କାମରେ ଲାଗୁନାହିଁ । ସେହି ଶୌଚାଳୟଟିରେ ପାଣି ପାଇଁ ଟାଙ୍କି ଅଛି, କିନ୍ତୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଜଳର ବ୍ୟବସ୍ଥା ହୋଇପାରୁନାହିଁ । ଗାଁ ପୋଖରୀ ପାଖରେ ଥିବା ପାର୍କକୁ ଲୋକେ ସନ୍ଧ୍ୟାରେ ଯାଉଛନ୍ତି ଏବଂ ପରିସ୍ରା କରିବାକୁ ହେଲେ ସେହି ଅବ୍ୟବସ୍ଥିତ ଶୌଚାଳୟର ପରିସ୍ରାଗାରକୁ ନଯାଇ ଏଣେତେଣେ ପରିସ୍ରା କରୁଛନ୍ତି । ଏଣୁ ଏନ୍ଏସି କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ଏଥ୍ ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

