ଭଞ୍ଜନଗର,୨୨।୧୦(ନିଲୁ ବିଷୋୟୀ):ପାର୍ବଣ ଋତୁ ତଥା ଦଶହରା ଓ କୁମାର ପୂର୍ଣ୍ଣମୀ ଆସିଲେ ପୁରପଲ୍ଲୀଠୁ ସହର ଚଳଚଞ୍ଚଳ ହୁଏ। ଛୁଟିରେ ପରିବାର ଓ ପ୍ରିୟଜନଙ୍କ ସହ ସମୟ କଟାଇବାର ଆନନ୍ଦ ସହ ପୂଜାକୁ ନେଇ ଲୋକ ମାନେ ଯେତେ ପରିମାଣର ଉତ୍ସାହିତ ହୋଇଥାନ୍ତି ସେହି ପରିମାଣରେ ତାସ ଖେଳ ଆସର ମଧ୍ୟ ଜମାଇ ଦେଇଥାନ୍ତି। ପରିବାର ଓ ସାଙ୍ଗସାଥୀ ମେଳରେ ସମୟ ବିତାଇବା ପାଇଁ ଏହି ଖେଳର ପରମ୍ପରା ରହିଥିବା ବେଳେ ବର୍ତମାନ କିଛି ଲୋକଙ୍କ ପାଇଁ ତାହା ଜୁଆରେ ପରିଣତ ହୋଇସାରିଛି। ଦଶହରାର କିଛି ଦିନ ପୂର୍ବରୁ ଆରମ୍ଭ ହେଉଥିବା ଏହି ଆସର କୁମାର ପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ। ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅପରାଧୀ ବର୍ଷତମାମ୍ ଜୁଆ ଆସର ଜମାଇଥାନ୍ତି ପୁଲିସ୍ ନଜରରୁ ବଞ୍ଚିବା ପାଇଁ ନିଛାଟିଆ, ପରିତ୍ୟକ୍ତ ଓ ନିର୍ମାଣାଧିନ କୋଠାକୁ ଜୁଆ ଆସରର ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ। ପୁଲିସକୁ ଚକମା ଦେବା ପାଇଁ ଜୁଆଡି ମାନେ ମଧ୍ୟ ବିଭିନ୍ନ ବିକଳ୍ପ ପନ୍ଥା ଆପଣାଇ ଖସି ଯିବାର ବାଟ ବାହାର କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇ ନଥିବାରୁ ସେମାନେ ଅତି ସହଜରେ ଜାମିନ୍ ପାଇ ପୁଣି ଖେଳରେ ମାତୁଥିବା ସାଧାରଣରେ ମତ ପ୍ରକାଶ ପାଇଛି ।ଅନ୍ୟପଟେ ପୁଲିସ ବିଭିନ୍ନ ସୂତ୍ରରୁ ଖବର ପାଇ ଏହି ଖେଳରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଦୃଢ ପଦକ୍ଷେପ ନେଉଥିବା କହୁଥିବା ବେଳେ ଜୁଆ ଆଡ୍ଡାରେ ଚଢାଉ କରି ଜୁଆଡ଼ି ମାନଙ୍କୁ ଧରିବା ସହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରୁଥିବା ଜଣାପଡିଛି। ଭଞ୍ଜନଗର ପୁଲିସ ଉପଖଣ୍ଡରେ ୩ ଦିନରେ ୧୬ ମାମଲାରୁ ୩ ଲକ୍ଷ ୭ ହଜାର ୬୫୦ ଟଙ୍କା ଜବତ କରିଥିବା ପୁଲିସ ସୂଚନା ଦେଇଛି। କେବଳ ଭଞ୍ଜନଗର ଥାନା ଇଲାକାରେ ହାତୀଗୁଡା,ଖମାରେଡି,ଟୋକାଗଣ୍ଡା, କୁଲାଡ,ଜିଲୁଣ୍ଡି,ହାସନାପଲ୍ଲୀ ଭଳି ଅଞ୍ଚଳରେ ଚଢଉ କରି ୫୦ରୁ ଅଧିକ ଜୁଆଡିକୁ କାବୁ କରିଥିବା ବେଳେ ସେମାନଙ୍କ ଠାରୁ ତାସ ମୋବାଇଲ ସହ ୧,୫୪,୨୫୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ ପୃଥକ ୭ ଟା ମାମଲା ରୁଜୁ ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଗାଙ୍ଗପୁର ଥାନାରେ ୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନାରେ ୩ ଟି ମାମଲା ରୁଜୁ କରାଯାଇଥିବା ବେଳେ ତାରସିଂ ଓ ବେଲଗୁଣ୍ଠା ଥାନାରେ ମଧ୍ୟ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇ ଜୁଆଡିକୁ କାବୁ କରାଯାଇଛି। ଏହି ଖେଳ ପାଇଁ ଲକ୍ଷାଧିକ ଟଙ୍କା ବାଜିରେ ଲାଗିବା ଫଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଗାଆଁ ଓ ସାହିରେ ଗଣ୍ଡଗୋଳର ସୂତ୍ରପାତ ହେଉଥିବା ମଧ୍ୟ ଅଭିଯୋଗ ଉଠିଥାଏ। ଏଭଳି ବେଆଇନ କାମ ପାଇଁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଚଢ଼ାଉ ହେବ ବୋଲି ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ପ୍ରକାଶ କରିଛନ୍ତି।

