ଚିକିଟି,୦୨।୧୦(ନିଗମାନନ୍ଦ ପଣ୍ଡା):ପିତାତଳି ଗ୍ରାମପଞ୍ଚାୟତ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପିତାତଳି ଗ୍ରାମପଞ୍ଚାୟତରେ ଆୟୋଜିତ ଗ୍ରାମସଭାରେ ସରପଞ୍ଚ ଏ. ରାଙ୍ଗା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ଗ୍ରାମସଭାରେ ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ପ୍ରଧାନ ଶିକ୍ଷକ , ଗ୍ରାମବାସୀ ଓ ବିଭିନ୍ନ ସ୍ତରର ପ୍ରତିନିଧିମାନେ ଯୋଗଦେଇଥିଲେ।ସଭାରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାମକୃଷ୍ଣ ବେହେରା, ରାଜସ୍ୱ ବିଭାଗ ପକ୍ଷରୁ କର୍ମଚାରୀ, ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ବଳରାମ ବେହେରା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ କୁମାରୀ ଧରିତ୍ରୀ ଦାସ, ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କରିସ୍ମା କୁମାରୀ ଏବଂ ଅନ୍ୟାନ୍ୟ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।ଏହି ଅବସରରେ ନିଜ ନିଜ ବିଭାଗର ସଫଳତା, ଉପଲବ୍ଧି ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ପ୍ରତିନିଧିମାନେ ଆଲୋଚନା କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟସେବା, ପୋଷଣ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସ୍ୱଚ୍ଛତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନାର ସଫଳତା ଓ ଲୋକଙ୍କ ଅଂଶଗ୍ରହଣ ଉପରେ ମତବିନିମୟ ହୋଇଥିଲା।ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ପ୍ରଧାନ ଶିକ୍ଷକ ମାନେ ନିଜ ନିଜ କ୍ଷେତ୍ରରେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ସମସ୍ୟା, ଅନୁଭୂତି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।ଏଥିସହ ପ୍ରେରଣା କେନ୍ଦ୍ର, ପିତାତଳି ପକ୍ଷରୁ ମାମୁନି ସାହୁ ବାଲ୍ୟବିବାହ ନିରୋଧ ଓ ଏହାର କୁପ୍ରଭାବ ସମ୍ପର୍କରେ ସଚେତନତାମୂଳକ ଆଲୋଚନା କରିଥିଲେ। ବାଲ୍ୟବିବାହ ରୋକିବା ପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ସ୍ୱଚ୍ଛତା ହିଁ ସେବାର ମୂଳ ଲକ୍ଷ୍ୟକୁ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ସ୍ୱଚ୍ଛତା ଶପଥ ପାଠ କରି ନିଜ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗ୍ରାମ ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନ୍ୟମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ।

