ବୁଗୁଡ଼ା,୨୨।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ପଡ଼ୋଶୀଙ୍କୁ ଛୁରିରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗରେ ବୁଗୁଡ଼ା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ତାଳ ଓଡ଼ିଆ ସାହିର ବସନ୍ତ କୁମାର ନାୟକ (୩୫)। ମୃତକ ହେଲେ ସେହି ସାହିର ସନ୍ତୋଷ କୁମାର ରାଉତ (୩୦)। ଅନ୍ୟପକ୍ଷରେ, ହତ୍ୟାକାଣ୍ଡ ପରେ ମୃତକଙ୍କ ସାହିବାସିନ୍ଦାମାନେ ବୁଗୁଡ଼ା ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ଜିଦ୍ ଧରିଥିଲେ। ଏଥିସହ ମୃତକଙ୍କୁ ନ୍ୟାୟ ପ୍ରଦାନ ଦାବିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ମଧ୍ୟ କରିଥିଲେ।ପୁଲିସ ପ୍ରଦତ୍ତ ପ୍ରେସ୍ ବିବୃତି ଅନୁଯାୟୀ, ଗତ ୨୦ ତାରିଖ ସକାଳ ପ୍ରାୟ ୮ଟା ୩୦ ମିନିଟ୍ରେ ଅଭିଯୁକ୍ତ ବସନ୍ତ ମୃତକ ସନ୍ତୋଷଙ୍କୁ ତାଙ୍କ ଘରୁ ଡାକି ନେଇଥିଲେ। ପରେ ସନ୍ତୋଷଙ୍କ ମୋଟରସାଇକେଲ୍ରେ ଉଭୟ ଘରୁ ବାହାରିଥିଲେ। ବୁଗୁଡ଼ା-ମୋଟାବାଡ଼ି ରାସ୍ତାରେ ଥିବା ଏକ କ୍ରସର ପ୍ଲାଣ୍ଟ ନିକଟସ୍ଥ ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ଅଭିଯୁକ୍ତ ଛୁରିରେ ସନ୍ତୋଷଙ୍କୁ ବାରମ୍ବାର ଆକ୍ରମଣ କରିଥିବା ପୁଲିସ କହିଛି। ଏଥିରେ ସନ୍ତୋଷଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରେ ଅଭିଯୁକ୍ତ ମୃତକଙ୍କ ମୋଟରସାଇକେଲ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସେହିଦିନ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ୍ରେ ଘଟଣାସ୍ଥଳରୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାରେ ମୃତକଙ୍କ ମା’ ଶଶୀ ରାଉତ (୬୦) ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ବୁଗୁଡ଼ା ଥାନା କେସ୍ ନମ୍ବର ୫୨୨/୨୦୨୬ରେ ମାମଲା ରୁଜୁ ହୋଇଥିଲା।ଘଟଣା ପରେ ମୃତକଙ୍କ ସାହିବାସିନ୍ଦାମାନେ ବୁଗୁଡ଼ା ଥାନା ସମ୍ମୁଖରେ ଏକତ୍ରିତ ହୋଇ ହତ୍ୟାକାଣ୍ଡର ପ୍ରତିବାଦ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ସେମାନେ ଦୃଢ଼ ଦାବି ଉଠାଇଥିଲେ। ଏଥିସହ ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରି ଶୋକ ପ୍ରକାଶ କରିଥିଲେ। ସାହିବାସିନ୍ଦାଙ୍କ ଏହି ପ୍ରତିବାଦ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।ତଦନ୍ତ ସମୟରେ ପୁଲିସ ହତ୍ୟାରେ ବ୍ୟବହୃତ ଛୁରି, ମୃତକଙ୍କ ମୋବାଇଲ୍ ଫୋନ୍ ଏବଂ ତାଙ୍କ ହିରୋ ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ୍ ଜବତ କରିଛି। ଉକ୍ତ ମୋଟରସାଇକେଲ୍ଟି ଭଞ୍ଜନଗର ଆର୍ଟିଓରେ ମୃତକ ସନ୍ତୋଷ କୁମାର ରାଉତଙ୍କ ନାମରେ ପଞ୍ଜୀକୃତ ଥିବା ପୁଲିସ ସୂଚନା ଦେଇଛି।

