ବୁଗୁଡ଼ା,୦୧/୦୫,(ଜନବାଣୀ): ସଂପ୍ରତି ବୁଗୁଡ଼ାରେ ଘରୋଇ ଗ୍ୟାସ ସାଙ୍ଗକୁ ପେଟ୍ରୋଲ ସଙ୍କଟ ଘନେଇଛି। ବୁଗୁଡ଼ାରେ ରହିଥିବା ତିନୋଟି ପେଟ୍ରୋଲ ପମ୍ପ ମଧ୍ୟରୁ ଇଣ୍ଡିଆନ୍ ଅଏଲ ଓ ନାୟରା ପେଟ୍ରୋଲ ପମ୍ପ ଦ୍ବୟ ପେଟ୍ରୋଲ ଅଭାବରୁ ବନ୍ଦ ରହିଥିବା ବେଳେ ଖୋଳଖଳିସ୍ଥିତ ପେଟ୍ରୋଲ ପମ୍ପଟି ଖୋଲା ରହିଥିଲେ ହେଁ ସେଠାରେ ବଡ଼ କଷ୍ଟରେ ଗୋଟିଏ ବାଇକକୁ କେବଳ ଦୁଇଶହ ଟଙ୍କାର ସିମିତ ପେଟ୍ରୋଲ ମିଳୁଛି। ଫଳରେ ସେହି ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକଙ୍କ ନାହିଁ ନଥିବା ଭିଡ଼ ଜମୁଛି ଏବଂ ବହୁ ବିଳମ୍ବରେ ମାତ୍ର ଦୁଇଶହ ଟଙ୍କାର ପେଟ୍ରୋଲ ପକାଇ ଫେରିବାକୁ ପଡୁଛି।ଅନ୍ୟପକ୍ଷରେ ପମ୍ପରେ ପେଟ୍ରୋଲ ଅଭାବରୁ ବୁଗୁଡ଼ାର ବିଭିନ୍ନ ଦୋକାନରେ ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ୧୨୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ସଂପ୍ରତି ସେହି ଦୋକାନଗୁଡ଼ିକରେ ଏବେ ବିକ୍ରି ପାଇଁ ପେଟ୍ରୋଲ ନାହିଁ। ପେଟ୍ରୋଲ ସଙ୍କଟ ଯୋଗୁଁ ଲୋକେ ବାଇକରେ ଦୂରସ୍ଥାନକୁ ଯାଇପାରୁନାହାଁନ୍ତି। ସେହିପରି ବିଭିନ୍ନ କୋରିୟର ସଂସ୍ଥାର ଡେଲିଭରି ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ପେଟ୍ରୋଲ ସଙ୍କଟ ଯୋଗୁଁ ସୃଷ୍ଟ ସମସ୍ୟାକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଯଥାଶୀଘ୍ର ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ ଉପଲବ୍ଧ ହେବା ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଗଣ ଆଶ୍ବାସନା ଦେଉଥିବା ଜଣାଯାଇଛି। ତେବେ ଏହି ପେଟ୍ରୋଲ ସମସ୍ୟା ଦୂରୀକରଣ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

