ପୋଲସରା,୧୨।୭(ସୁଧାଂଶୁ ଶେଖର ସାହୁ):ରୋଗୀଙ୍କୁ ମାଗଣା ଚିକିତ୍ସା, ଔଷଧ ଓ ଇଞ୍ଜେକ୍ସନ୍ ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବାସ୍ତବ ଚିତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଧରି ହସ୍ପିଟାଲରେ ଟିଟାନସ୍ ଇଞ୍ଜେକ୍ସନ୍ ଉପଲବ୍ଧ ନଥିବାରୁ ରୋଗୀ ଓ ସେମାନଙ୍କ ପରିବାର ଲୋକ ଚରମ ହଇରାଣ ହେଉଛନ୍ତି।ଆଘାତ, ଦୁର୍ଘଟଣା ଓ କ୍ଷତଗ୍ରସ୍ତ ରୋଗୀଙ୍କ ପାଇଁ ଟିଟାନସ୍ ଇଞ୍ଜେକ୍ସନ୍ ଅତ୍ୟନ୍ତ ଜରୁରୀ ହୋଇଥିଲେ ମଧ୍ୟ ହସ୍ପିଟାଲରେ ଏହା ନମିଳିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟ ହୋଇ ବାହାର ଔଷଧ ଦୋକାନରୁ ଇଞ୍ଜେକ୍ସନ୍ କିଣୁଛନ୍ତି। ଏହାର ପ୍ରଭାବ ସବୁଠାରୁ ଅଧିକ ଗରିବ ଓ ଦିନମଜୁରିଆ ପରିବାର ଉପରେ ପଡ଼ୁଛି।ପୋଲସରା ଓ ଆଖପାଖ ଅଞ୍ଚଳରୁ ପ୍ରତିଦିନ ଶହଶହ ରୋଗୀ ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ଅତ୍ୟାବଶ୍ୟକ ଇଞ୍ଜେକ୍ସନ୍ର ଅଭାବ ସରକାରୀ ସ୍ୱାସ୍ଥ୍ୟସେବାର ଦୁର୍ବଳ ବ୍ୟବସ୍ଥାକୁ ପଦାରେ ପକାଇଛି। ସରକାର ଉନ୍ନତ ଚିକିତ୍ସା ସେବାର ଦାବି କରୁଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, ଯେତେବେଳେ ଡାକ୍ତରଙ୍କ ପରାମର୍ଶରେ ଟିଟାନସ୍ ଇଞ୍ଜେକ୍ସନ୍ ଅତ୍ୟାବଶ୍ୟକ, ସେତେବେଳେ ସରକାରୀ ହସ୍ପିଟାଲରେ ଏହା କାହିଁକି ଉପଲବ୍ଧ ନାହିଁ? ଏହା ଔଷଧ ଯୋଗାଣ ବ୍ୟବସ୍ଥାର ଅବହେଳା ନା ପ୍ରଶାସନିକ ବିଫଳତା ବୋଲି ପ୍ରଶ୍ନ ଉଠୁଛି।ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିଟାନସ୍ ଇଞ୍ଜେକ୍ସନ୍ ସମେତ ସମସ୍ତ ଜରୁରୀ ଔଷଧର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହୋଇଛି।ଏନେଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।

