ପୋଲସରା,୨୩।୭(ସୁଧାଂଶୁ ଶେଖର ସାହୁ):ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଜାରି ହୋଇଛି । ଯାହାକୁ ନେଇ ରବିବାର ପୋଲସରା ପଞ୍ଚାୟତ ସମିତି ବୈଠକ ଗୃହରେ ଦାବି ଓ ଆପତ୍ତିର ଶୁଣାଣି ଅନୁଷ୍ଠିତ ହୋଇଥିଲା। ବି.ଏଲ୍.ଓ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲସରା ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶଶୀଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଭୋଟର ତାଲିକାକୁ ସଠିକ୍, ନିର୍ଭୁଲ ଓ ଅଦ୍ୟତନ କରିବା। ଏହି ପ୍ରକ୍ରିୟାରେ ୧୮ ବର୍ଷ ପୂରଣ କରିଥିବା ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବିଲୋପ, ନାମ, ବୟସ, ଠିକଣା କିମ୍ବା ଅନ୍ୟାନ୍ୟ ତଥ୍ୟରେ ଥିବା ତ୍ରୁଟି ସଂଶୋଧନ କରାଯାଉଛି। ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ମିଳିଥିବା ଦାବି ଓ ଆପତ୍ତିଗୁଡ଼ିକର ନିୟମାନୁସାରେ ଶୁଣାଣି କରାଯାଇ ଯାଞ୍ଚ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଶ୍ରୀ ମହାପାତ୍ର ବି.ଏଲ୍.ଓ.ମାନଙ୍କୁ ନିରପେକ୍ଷତା ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ସହ ଘରକୁ ଘର ବୁଲି ସଠିକ୍ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସାଧାରଣ ଜନତାଙ୍କୁ ନିଜ ନାମ ଭୋଟର ତାଲିକାରେ ଯାଞ୍ଚ କରି କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ବୁଥର ବି.ଏଲ୍.ଓ., ସୁପରଭାଇଜର, ନିର୍ବାଚନ ବିଭାଗର କର୍ମଚାରୀ ଏବଂ ଆବେଦନକାରୀମାନେ ଉପସ୍ଥିତ ଥିଲେ।

