ପୋଲସରା,୧।୮(ସୁଧାଂଶୁ ଶେଖର ସାବତ):ଶ୍ରାବଣ ମାସ ଆରମ୍ଭ ହେବା ସହ ପୋଲସରା ବଜାରରେ ପନିପରିବାର ଦର ହଠାତ୍ ବୃଦ୍ଧି ପାଇଛି। ଏହାର ପ୍ରଭାବ ସବୁଠାରୁ ଅଧିକ ନିମ୍ନବିତ୍ତ ଓ ମଧ୍ୟବିତ୍ତ ପରିବାର ଉପରେ ପଡ଼ିଛି। ବର୍ତ୍ତମାନ ବଜାରରେ ବାଇଗଣ ୬୦ ଟଙ୍କା, ଭେଣ୍ଡି କିଲୋପିଛା ୬୦ ଟଙ୍କା, ଟମାଟୋ ୨୫ ଟଙ୍କା, ବିନ୍ସ ୧୪୦ ଟଙ୍କା ଏବଂ ଦେଶୀ କାଙ୍କଡ଼ ୨୫୦, ଫୁଲକୋବି ୮୦ଟଙ୍କା, ବନ୍ଧାକୋବି ୬୦, କାଙ୍କଡ଼ ୬୦, କଟିକି ୬୦, ଅଳଡି ୫୦ ଟଙ୍କା ରେ ବିକ୍ରି ହେଉଛି।ଶ୍ରାବଣ ମାସରେ ଅନେକ ପରିବାର ଧାର୍ମିକ ପରମ୍ପରା ଅନୁସାରେ ନିରାମିଷ ଭୋଜନ କରୁଥିବାରୁ ପନିପରିବାର ଚାହିଦା ବଢ଼ିଥାଏ। ଏଭଳି ସମୟରେ ଦରବୃଦ୍ଧି ଯୋଗୁଁ ଘରୋଇ ବଜେଟ୍ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି। ଅନେକ ପରିବାର ପୂର୍ବଭଳି ଆବଶ୍ୟକ ପରିମାଣରେ ପନିପରିବା କିଣିପାରୁନଥିବା କହିଛନ୍ତି।ଅନ୍ୟପକ୍ଷରେ ବଜାର ଦର ଉପରେ ସମ୍ପୃକ୍ତ ବିଭାଗର ନିୟମିତ ତଦାରଖ ନ ଥିବାରୁ କେତେକ ବ୍ୟବସାୟୀ ମନଇଚ୍ଛା ଦରରେ ପନିପରିବା ବିକ୍ରି କରୁଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ଉପଭୋକ୍ତା ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି।ଦରବୃଦ୍ଧିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଜାର ଦର ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସେମାନେ ନିନ୍ଦା କରିଛନ୍ତି। ଶ୍ରାବଣ ମାସରେ ପନିପରିବାର ଚାହିଦା ବଢ଼ିଥିବା ବେଳେ ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଛି ବୋଲି ସେମାନେ କହିଛନ୍ତି। ତୁରନ୍ତ ବଜାର ଉପରେ କଡ଼ା ନଜର ରଖି ପନିପରିବାର ଦରଦାମରେ ଲଗାମ ଆଣିବା ସହ କଳାବଜାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପଟେ ପାରିବ ବ୍ୟବସାୟୀ ସନ୍ତୋଷ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ଓ ବାବୁ ସାହୁ ପ୍ରମୁଖ ବର୍ତମାନର ବଜାର ଦର ଶୁଣି ଗ୍ରାହକ ସଂଖ୍ୟା କାମୁଥୁବା ଯୋଗୁଁ ଦୈନିକ କ୍ଷତି ସହୁଥିବା କହିଛନ୍ତି।

