ବୁଗୁଡ଼ା,୨୮।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ):ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଲାଗିରହିଛି ବର୍ଷା। ଏହି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେଣ୍ଡା ଧରି ପାଚିବାକୁ ବସିଥିବା ଧାନ ଗଛ ବର୍ଷା ଯୋଗୁଁ ଜମିରେ ଶୋଇ ପଡ଼ିଥିବାରୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚିନ୍ତିତ ଚାଷୀ। ମାସ ମାସ ଧରି ପରିଶ୍ରମ କରି ଅମଳ ଆଶାରେ ରହିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି।ଏହି ସମୟରେ ଧାନ ଫସଲର ଯତ୍ନ ନେବା ସହ ଅମଳ ପାଇଁ ପ୍ରସ୍ତୁତି କରୁଥିବା ଚାଷୀଙ୍କ ପାଇଁ ପାଗର ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି। ଧାନ ଗଛ ଜମିରେ ପଡ଼ିରହିଲେ ଫସଲର ଗୁଣବତ୍ତା ହ୍ରାସ ପାଇବା ସହ ଅମଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଲଗାତାର ବର୍ଷା ଜାରି ରହିଲେ ଚାଷୀଙ୍କ କ୍ଷତି ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

