ବେଲଗୁଣ୍ଠା,୨୮।୧୦(ଶିବରାମ ଚୌଧୁରୀ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଏହି ସମୟ ମଧ୍ୟରେ ମୋଟ ୬୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଲୋହରାଖଣ୍ଡି ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ବଡ଼ନଦୀ ଓ ବୋଡ଼ାନଦୀର ଜଳସ୍ତର ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ଜନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ୩୯୪ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ବ୍ଲକ୍ର ଇଙ୍ଗିନାଠି ପଞ୍ଚାୟତର ବିଭିନ୍ନ ଗ୍ରାମ ଦେଇ ଲୋହରାଖଣ୍ଡି, ବଡ଼ନଦୀ ଓ ବୋଡ଼ାନଦୀ ପ୍ରବାହିତ ହୋଇ ମାଧବରିଡ଼ା ଅନିକଟରେ ମିଶିଥିବାରୁ ଏହି ଅଞ୍ଚଳ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ମାଧବରିଡ଼ା ଅନିକଟର ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଅନିକଟର ବିପଦ ସଂକେତ ୬୦.୬୬ ମିଟର ଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୫୮.୬୭ ମିଟର ରହିଥିଲା। ନଦୀରେ ସର୍ବାଧିକ ୩୦୪.୬୯୫ କ୍ୟୁମେକ୍ସ ଜଳ ପ୍ରବାହ କ୍ଷମତା ଥିବାବେଳେ ବର୍ତ୍ତମାନ ୧୦୯ କ୍ୟୁମେକ୍ସ ଜଳ ପ୍ରବାହିତ ହେଉଛି।ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ଇଙ୍ଗିନାଠି ପଞ୍ଚାୟତର ମନ୍ଦାରସ୍ଥିତ ବନ୍ୟା ଆଶ୍ରୟସ୍ଥଳରେ ୧୦୭ ଜଣ ରହିଥିବାବେଳେ ଆମ୍ବପୁଆରୁ ୧୫, ବଡ଼ବୋର୍ସିଂରୁ ୫, ବଡ଼ପଡ଼ାରୁ ୧୪, ବେଣୀପଲ୍ଲୀରୁ ୪୫, ଗୋବରାରୁ ୧୬, ଖଇରପୁଟିରୁ ୨୨, ମଙ୍ଗଳପୁରରୁ ୧୯, ନେଟେଙ୍ଗାରୁ ୬୪, ପାଇଲିପଡ଼ାରୁ ୫, ତନରଡ଼ାରୁ ୪୪ ଏବଂ ଉଢୁରା ପଞ୍ଚାୟତରୁ ୩୮ ଜଣଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳରେ ରହୁଥିବା ସମସ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।ବେଲଗୁଣ୍ଠା ବିଡିଓ ସିଙ୍ଗାପୁରମ୍ ହରି ଓ ତହସିଲଦାର କଳାକୃଷ୍ଣ ପ୍ରଧାନ ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଷା କମିବା ପରେ ପରିସ୍ଥିତିର ସମୀକ୍ଷା କରି ଲୋକଙ୍କୁ ନିଜ ଘରକୁ ଫେରାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି।ଅନ୍ୟପକ୍ଷରେ ଲଗାଣ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଅଧିକ ବର୍ଷା ହେଲେ ଚାଷଜମିରେ ପାଣି ଜମି ରହିବା ସହ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିଲେ ଚାଷଜମିରୁ ଅତିରିକ୍ତ ଜଳ ନିଷ୍କାସନ କରିବା କଷ୍ଟକର ହୋଇପାରେ। ତେଣୁ ବର୍ଷା କମିବା ସହ ଜମିରୁ ଶୀଘ୍ର ପାଣି ନିଷ୍କାସନ ହେବ ବୋଲି ଚାଷୀମାନେ ଆଶା ରଖିଛନ୍ତି। ଏପରି ସ୍ଥିତିରେ ନଦୀ ଓ ଅନିକଟର ଜଳସ୍ତର ଉପରେ ବିଭାଗୀୟ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଛନ୍ତି।

