ଭଞ୍ଜନଗର,୨୪/୩(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡରେ ସମସ୍ତ ବୁଥ୍ ଲେଭେଲ ଅଫିସର୍ ତଥା ବିଏଲଓ ଏବଂ ବିଏଲଓ ସୁପର ଭାଇଜରଙ୍କ ପାଇଁ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସଆଇଆର) ବିଷୟରେ ଏକ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଭଞ୍ଜନଗର ବ୍ଲକ୍ ନିୟନ୍ତ୍ରିତ ସମ୍ମିଳନୀ କକ୍ଷ୍ୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ପୋୖରାହିତ୍ୟରେ ଏହି ତାଲିମ ରେ ମୋଟ ୧୩୯ଜଣ ବିଏଲଓ ଏବଂ ୧୩ ଜଣ ବିଏଲଓ ସୁପର ଭାଇଜର ଯୋଗଦେଇ ନୂତନ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଲିମରେ ଏସଆଇଆର ପ୍ରକ୍ରିୟାର ଲକ୍ଷ୍ୟ, ଘରୋଇ ସଂଶୋଧନ,ଡିଜିଟାଲ୍ ଫର୍ମ ଭର୍ତ୍ତି, ଅଯୋଗ୍ୟ ମତଦାତାଙ୍କ ନାମ ଅପସାରଣ, ନୂତନ ମତଦାତାଙ୍କ ସଂଯୋଜନ, ସମୟସୀମା ଏବଂ ବିଚାର‑ବିମର୍ଶ ପ୍ରକ୍ରିୟା ସମ୍ବନ୍ଧରେ ବିସଦ ବ୍ୟାଖ୍ୟା ଦିଆଯାଇଥିଲା।ବିଏଲଓ ଏବଂ ବିଏଲଓ ସୁପରଭାଇଜର ମଧ୍ୟ ପ୍ରଶିକ୍ଷଣ ପରେ ପ୍ରଶ୍ନୋତ୍ତର ଏବଂ ପ୍ର୍ୟାକ୍ଟିକାଲ୍ ମାଧ୍ୟମରେ ତାଲିମର ସ୍ପଷ୍ଟତା ପ୍ରାପ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୁଚିତା ମହାପାତ୍ର, ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିସ୍ପା ପଟ୍ଟନାୟକ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।ଉପଜିଲ୍ଲାପାଳ ଶ୍ରୀ ବେହେରା ଶେଷରେ କହିଥିଲେ ଯେ, “ସ୍ୱତନ୍ତ୍ର ସଘନ ସଂଶୋଧନ” ଯୋଜନା ଅନ୍ତର୍ଗତ ମତଦାତା ସୂଚୀ ଉପରେ ଆଧାରିତ ଭାବରେ ଘରୋଇ ସଂଶୋଧନ ସମୟରେ ସମସ୍ତ ବିଏଲଓ ନିଷ୍ଠାପୂର୍ବକ କାର୍ଯ୍ୟ କରି ମତଦାତାଙ୍କ ମଧ୍ୟରେ ଆସ୍ଥା ଓ ପାରଦର୍ଶିତା ସୃଷ୍ଟି କରିବା ଆବଶ୍ୟକ। ଏହା ମାଧ୍ୟମରେ ମତଦାନ ପ୍ରକ୍ରିୟାକୁ ଆହୁରି ନିର୍ଭୁଲ ଏବଂ ସଫଳ କରିବାରେ ସହାୟକ ହେବ। ଏସଆଇଆର ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ,ସୋରଡା ଓ ଆସ୍କା ବ୍ଲକ ରେ ମଧ୍ୟ ଅନୁଷ୍ଠିତ ହେବ।

