ବ୍ରହ୍ମପୁର, ୮/୫,( ହିମାଂଶୁ ଶେଖର ସାବତ): ବ୍ରହ୍ମପୁର ଅଯୋଧ୍ୟାନଗର ଅଞ୍ଚଳରେ ଥିବା ଆଡ଼ଲାଇଫ ଘରୋଇ ହସ୍ପିଟାଲ ବିରୋଧରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଲ୍ଡିଂ ପ୍ଲାନ ଉଲ୍ଲଂଘନ କରି ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନର ଅପବ୍ୟବହାର କରିବା ସହ ରାସ୍ତା ଉପରେ ଗାଡ଼ି ପାର୍କିଂ କରାଯାଉଥିବା ଅଭିଯୋଗରେ ହସ୍ପିଟାଲକୁ ୨୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବିଇଏମସି କମିଶନର ସୁଶ୍ରୀ ଏ. ସସ୍ୟ ରେଡ୍ଡୀଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଗୁରୁବାର ସନ୍ଧ୍ୟାରେ ଆଡ଼ଲାଇଫ ହସ୍ପିଟାଲରେ ଚଢ଼ାଉ କରିଥିଲେ। ଯାଞ୍ଚ ସମୟରେ ପାର୍କିଂ ବ୍ୟବସ୍ଥାରେ ଅନିୟମିତତା ଦେଖିବାକୁ ମିଳିଥିବାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।ଏହିପରି ବିଲ୍ଡିଂ ପ୍ଲାନ ଉଲ୍ଲଂଘନ ଓ ରାସ୍ତା ଅବରୋଧ ସୃଷ୍ଟି କରୁଥିବା ସଂସ୍ଥାଗୁଡ଼ିକ ବିରୋଧରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ବିଇଏମସି ପକ୍ଷରୁ କୁହାଯାଇଛି।

