ଫୁଲବାଣୀ,୨୦/୦୫,(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାର ଟିକାବାଲି, କେ.ନୂଆଗାଁ ଓ ଫିରିଙ୍ଗିଆ ବ୍ଲକ ସୀମାନ୍ତରେ ଅବସ୍ଥିତ ଦୁର୍ଗମ ଆଦିବାସୀ ଗାଁ ବିଲାବାଡି ଓ ଏହାର ଆଖପାଖ ଗ୍ରାମ ଆଜି ପର୍ଯ୍ୟନ୍ତ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଏହି ସବୁ ଗ୍ରାମ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ ଥିଲେ ମଧ୍ୟ ଏହି ଅଞ୍ଚଳ ଚରମ ସରକାରୀ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି l। ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗୁଟିଙ୍ଗିଆ ପଞ୍ଚାୟତ ର ବିଲା ବାଡ଼ି ଓ ପାଡେରି ପଞ୍ଚାୟତ ଅଧୀନରେ କିଛି ଗ୍ରାମ ରହିଛି l ଗ୍ରାମବାସୀମାନେ ପକ୍କା ରାସ୍ତା, ବିଦ୍ୟୁତ ଓ ପିଇବା ପାଣି ଭଳି ମୌଳିକ ସୁବିଧା ନ ପାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଜରୁରୀ ଚିକିତ୍ସା ସମୟରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁନାହିଁ ।ଗତ ବର୍ଷ ଏକ ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ନେଇ ପାରିନଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେଗ୍ରାମ କୁ ରାସ୍ତା ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ଦାବି ଜୋରଦାର ହୋଇଛି।ଗ୍ରାମବାସୀ ମାନଙ୍କ କହିବା ଅନୁସାରେ, ସେମାନେ ଅନେକଥର ପ୍ରଶାସନ, ସରକାର ଓ ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ବିଧାୟକ ପ୍ରଫୁଲ୍ଲ ପ୍ରଧାନଙ୍କୁ ମଧ୍ୟ ପକ୍କା ରାସ୍ତା ନିର୍ମାଣ ପାଇଁ ବହୁ ବାର ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସୂଚନା ଥାଉକି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଙ୍କ ନିଜସ୍ଵ ପଞ୍ଚାୟତ ହେଉଛି ଗୁଟିଙ୍ଗିଆ ଏବଂ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ପ୍ରଧାନଙ୍କ ଗ୍ରାମ ମଧ୍ୟ ଅଭିଭକ୍ତ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତରେ । ଗୋଟିଏ ଗ୍ରାମ ପଞ୍ଚାୟତରେ ବଡ଼ ବଡ଼ ନେତା/ନେତ୍ରୀ ଥିଲେ ମଧ୍ୟ ପଞ୍ଚାୟତର ସମସ୍ତ ଗ୍ରାମକୁ ଏ ଯାଏଁ ମୌଳିକ ସୁବିଧା ସୁଯୋଗ ପହଞ୍ଚି ପାରି ନାହିଁ । ବର୍ତ୍ତମାନ ସାରଙ୍ଗଗଡ଼ ନିକଟସ୍ଥ ଚଞ୍ଚଳା ସାହି ଛକରୁ ଉପର ଡଣ୍ଡିକିଆ ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତାକୁ “ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY)” ଅଧୀନରେ ନିର୍ମାଣ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।ଏହି ରାସ୍ତା ନିର୍ମାଣ ହେଲେ ବିଲାବାଡି, କାମ୍ବାଡି, ଉପର ବିଲାବାଡି, ମାଦି ନାଜୁ, ତଗା ନାଜୁ, ତାଣ୍ଡାଲି, ଡାଲିବାଡି, ଚଞ୍ଚଳା ସାହି, ଡାଣ୍ଡିକିଆ ସହିତ ଆଖପାଖର ଅନେକ ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।ଅବହେଳିତ ଏହି ଆଦିବାସୀ ଅଞ୍ଚଳକୁ ଯଥାଶୀଘ୍ର ରାସ୍ତା ସଂଯୋଗ ସୁବିଧା ଯୋଗାଇବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଯୁବ ନେତା ପ୍ରତାପ କୁମାର ପ୍ରଧାନ ଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ନ ହେଲେ ଆଗାମୀ ପଂଚାୟତ ନିର୍ବାଚନ ରେ ଅଞ୍ଚଳ ବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l

