ପୋଲସରା,୧୨।୭(ସୁଧାଂଶୁ ଶେଖର ସାହୁ):ପୋଲସରା ଏନ ଏ ସି ରୁ ମ୍ୟୁନିସିପାଲିଟି ହେବା ପରେ ବର୍ତମାନ ପୁରା ସହରକୁ ନବକଳେବର ପାଇଁ ଅଣ୍ଟା ଭିଡିଛି ପୌର ପ୍ରଶାସନ । ସବୁଆଡେ ରାସ୍ତା ଘାଟ, ଡ୍ରେନ ନିର୍ମାଣ କାମ ଚାଲୁ ରହିଛି। ପୁରା ସହରକୁ ନିଆରା ଢଙ୍ଗରେ ସୌନ୍ଦର୍ଯ୍ୟ କରିବା ପାଇଁ ମୁନିସିପାଲିଟି ପ୍ରଶାସନ ପକ୍ଷରୁ ମୁକ୍ତାକାଶ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟ ଧାରା ହାତକୁ ନେଇ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ପୋଲସରା ସହରର ବିଭିନ୍ନ ସ୍ଥାନରେ ଟିପିଏସଓଡିଏଲ୍ ପକ୍ଷରୁ ସ୍ଥାପିତ ବିଦ୍ୟୁତ ଟ୍ରାନ୍ସଫର୍ମର ଏବେ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବାଧକ ସାଜୁଥିବା ଅଭିଯୋଗ ଉଠିଛି। ବିଶେଷକରି ସହରର ମୁଖ୍ୟ ସଡ଼କ କଡ଼ ଓ ସର୍ବସାଧାରଣ ସ୍ଥାନରେ ସ୍ଥାପନ କରାଯାଇଥିବା ଟ୍ରାନ୍ସଫର୍ମରଗୁଡ଼ିକୁ ନେଇ ଏବେ ପୋଲସରା ମୁନିସିପାଲିଟି ଓ ଟିପିଏସଓଡିଏଲ୍ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଗତ କିଛିଦିନ ତଳେ ପୋଲସରା ହାଇସ୍କୁଲର ବାଉଣ୍ଡାରି ହୋଇଥିବା କାନ୍ଥ କୁ ଭଙ୍ଗାଯାଇଛି । ଯାହା ସହରର ପୁରାତନ ଐତିହ୍ୟକୁ ପ୍ରତିଫଳିତ କରୁଥିବା ଛବି ଓ ସ୍ମାରକ ସ୍ଥାପନ ପାଇଁ ଯୋଜନା ହେଉଥିବା ନିଷ୍ପତ୍ତିକୁ ଗ୍ରୀନ୍ ସିଗନାଲ ମିଳିଛି । ଏନେଇ ହାଇସ୍କୁଲ କର୍ତ୍ତୃପକ୍ଷ ଓ ମୁନିସିପାଲିଟି ପ୍ରଶାସନ ମଧ୍ୟରେ କିଛି ସମୟ ପାଇଁ ମତଭେଦ ଦେଖା ଦେଇଥିଲା। ପରେ ଆଲୋଚନା ମାଧ୍ୟମରେ ସେହି ବିବାଦର ସମାଧାନ ହୋଇଥିଲେ । ହେଲେ ପୋଲସରାର ବିକାଶ ଏବଂ ସୌନ୍ଦର୍ଯ୍ୟ କରଣକୁ ନେଇ ଏବେ ଟ୍ରାନ୍ସଫର୍ମର ସ୍ଥାପନକୁ କେନ୍ଦ୍ର କରି ନୂଆ ବିବାଦ ସୃଷ୍ଟି ହୋଇଛି। ମୁନିସିପାଲିଟିର ଯୋଜନା ଅନୁଯାୟୀ ସହରର ବିକାଶ ସହିତ ପୋଲସରାର ଐତିହ୍ୟ ଓ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ମୁକ୍ତାକାଶ ପ୍ରଦର୍ଶନୀ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବାକୁ ଥିବା ବେଳେ, ସଡ଼କ କଡ଼ରେ ସ୍ଥାପିତ ଟ୍ରାନ୍ସଫର୍ମରଗୁଡ଼ିକ ଏହି ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଅନେକ ସ୍ଥାନରେ ଟ୍ରାନ୍ସଫର୍ମରଗୁଡ଼ିକ ଉପଯୁକ୍ତ ଅନୁମତି ବିନା ଓ ଜନସ୍ୱାର୍ଥକୁ ଅଣଦେଖା କରି ସ୍ଥାପନ କରାଯାଇଛି। ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ କହିବା ଅନୁସାରେ ଗତ ଜାନୁଆରୀ ମାସରେ ଟ୍ରାନ୍ସଫର୍ମରଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଟିପିଏସଓଡିଏଲ୍କୁ ଲିଖିତ ଭାବେ ଅନୁରୋଧ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେଥିପ୍ରତି କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନଥିବାରୁ ଜାଣିଶୁଣି ବିବାଦକୁ ବଢ଼ାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଟିପିଏସଓଡିଏଲ୍ ପକ୍ଷରୁ କୁହାଯାଇଛି ଯେ ମୁନିସିପାଲିଟି ବିକଳ୍ପ ସ୍ଥାନ ଚିହ୍ନଟ କରିବା ସହ ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ବହନ କଲେ ଟ୍ରାନ୍ସଫର୍ମରଗୁଡ଼ିକୁ ଅନ୍ୟତ୍ର ସ୍ଥାପନ କରାଯିବ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଡ୍ରେନ୍ ପାର୍ଶ୍ୱ ଓ ସଡ଼କ କଡ଼ ଭଳି ସର୍ବସାଧାରଣ ସ୍ଥାନରେ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ କିଏ ଅନୁମତି ଦେଇଥିଲା । କେଉଁ ନିୟମ ଅନୁସାରେ ଟାଟା ପାୱାର (ଟିପିଏସଓଡିଏଲ୍) ସହରର ବିଭିନ୍ନ ସ୍ଥାନରେ ପୋଲ ପୋତି ଟ୍ରାନ୍ସଫର୍ମର ବସାଇଛି । ଏବେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି । ପୋଲସରା ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ନେଇ ବିଦ୍ୟୁତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଟ୍ରାନ୍ସଫର୍ମର କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସହରବାସୀ ଦାବି କରିଛନ୍ତି।

