ପାରଳାଖେମୁଣ୍ଡି,୬/୪:(ହିମାଂଶୁ ଶେଖର ସାବତ) : କାଳ ବୈଶାଖୀ ପ୍ରଭାବରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶବ ଆଜି ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ହେଲେ କଟକ ଜ଼ିଲ୍ଲା ନିଆଳି ବ୍ଲକର ଓଲଟପୁରୁ ଗ୍ରାମର ବିନୋଦ ଜେନା (୪୭) ବୋଲି ଜଣାପଡିଛି । କଟକ ନିଆଳି ଓଲଟପୁର ଥାନା ଅଞ୍ଚଳର ପ୍ରକାଶ କୁମାର ନନ୍ଦ, ଚିନ୍ମୟ ଦାସ ଓ ବିନୋଦ ଜେନା ତିନି ଏବଂ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବିନ୍ନଳା ଗ୍ରାମର ସିଙ୍ଗିପୁରମ୍ ବିନୋଦଙ୍କୁ ମିଶାଇ ଚାରି ଜଣ ରବିବାର ଦିନ ପାରଳାଖେମୁଣ୍ଡି ଠାରେ ସମ୍ପର୍କୀୟଙ୍କ ଘରକୁ ଆସି ମାଧ୍ୟ୍ୟହ୍ନ ଭୋଜନ କରି ପାରଳାଖେମୁଣ୍ଡି ଠାରୁ ଗୋଟିଏ କାର ଭଡାସୂତ୍ରରେ ନେଇ ମହେନ୍ଦ୍ରଗିରି ବୁଲିବା ପାଇଁ ଯାଇଥିଲେ । ସେଠାରେ କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଫା ବୁଲିବା ପରେ ଅର୍ଜୁନ ଗୁମ୍ଫା ଠାରୁ ଭୀମ ମନ୍ଦିର ଅଭିମୁଖେ ପାହାଡ଼ ଚଢି ଯିବା ସମୟରେ ହଠାତ ଖୁବ ଜୋରରେ ପବନ ବହିବା ସହ ଘଡଘଡି ଓ ବର୍ଷା ହୋଇଥିଲା ଫଳରେ ନିଜ ଜୀବନ ସୁରକ୍ଷା ଲାଗି ସମସ୍ତେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରି ଚାରିଜଣ ଙ୍କ ମଧ୍ୟରୁ ତିନି ଜଣ ସେଠାରେ ଥିବା ଭୀମ ମନ୍ଦିର ଭିତରେ ଆଶ୍ରୟ ନେଇଥିଲେ ଅନ୍ୟ ଜଣେ ପାହାଡ ତଳପଟକୁ ଦୌଡ଼ିବାରେ ଲାଗିଲେ । ଇତି ମଧ୍ୟରେ ସଭିଏଁ ଦିଗହରା ହୋଇଗଲେ । ତେବେ ଦଶ ମିନିଟର କାଳବୈଶାଖୀ ଚାରି ସାଙ୍ଗଙ୍କୁ ଛାରଖାର କରିଦେଇଥିଲା । ପରିସ୍ଥିତି ଯେତେବେଳେ ସ୍ୱାଭାବିକ ହେଲା ସେହି ସମୟରେ ବର୍ତ୍ତିଯାଇଥିବା ତିନି ବନ୍ଧୁ ନିଖୋଜ ବିନୋଦଙ୍କୁ ଖୋଜିବାର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ନିୟୋଜିତ ଥିବା ରାମଗିରି ବନାଞ୍ଚଳର କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ସମସ୍ତେ ମିଶି ବନ ବିଭାଗ କର୍ମଚାରୀଙ୍କ ସହ ଭୀମ ମନ୍ଦିର ପାହାଡର ସମସ୍ତ ଅଞ୍ଚଳକୁ ଖୋଜାଖୋଜି କରିଥିଲେ । ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିବା ପରେ ସନ୍ଧ୍ୟା ହୋଇ ଅନ୍ଧାର ହୋଇଯାଇଥିବାରୁ ବିନୋଦଙ୍କ କୌଣସି ସନ୍ଧାନ ମିଳିନଥିଲା । ଏହାପରେ ଗାରାବନ୍ଧ ପୋଲିସକୁ ଖବର ଦିଆଯାଇଥିଲା । ରାତି ତମାମ ଗାରାବନ୍ଧ ପୋଲିସ ଓ ରାମଗିରି ରେଞ୍ଜର ବନକର୍ମଚାରୀ ମାନେ ସମସ୍ତେ ମିଶି ପୁଣି ଖୋଜାଖୋଜି କରିଥିଲେ ମଧ୍ୟ ବିନୋଦଙ୍କୁ ପାଇନଥିଲେ । ତେବେ ଆଜି ଭୋର ସମୟରେ ମୃତ ବିନୋଦଙ୍କ ଶବ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଭୀମମନ୍ଦିରରୁ ସହଦେବ ମନ୍ଦିର ମଧ୍ୟରେ ଥିବା ପାହାଡ ଉପରୁ ଗାରାବନ୍ଧ ପୋଲିସ ଉଦ୍ଧାର କରିଥିଲା । ଘଟଣା ସ୍ଥଳକୁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକଙ୍କ ସମତେ ସାଇଣ୍ଟିଫିକ ଟିମ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରି ଥିବାବେଳେ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏଠାରେ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ଦିଆଯାଇଛି । ତେବେ ଘଟଣାକୁ ନେଇ ଗାରାବନ୍ଧ ଥାନାରେ 3/26ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ସମସ୍ତ ଦିଗ କୁ ନେଇ ତଦନ୍ତ କରାଯାଉଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଏସ୍ଆଇ ଲୋକନାଥ ବେହେରା କରୁଥିବାର ଥାନା ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଗତ କିଛି ଦିନ ହେଲା ମହେନ୍ଦ୍ରଗିରି ଅଶାନ୍ତ ହେବା ସହ ଘଟଣା ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଦୈନନ୍ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କିଛି ବନ୍ଦୋବସ୍ତ କରାଯାଉନାହିଁ । କେବଳ ଶିବରାତ୍ର ସମୟରେ ହାଜରା ପକାଇବା ସଦୃଶ୍ୟ ଉପସ୍ଥିତି ଜାହିର କରୁଛି । ସେପଟେ ମହେନ୍ଦ୍ରଗିରିର ସୁରକ୍ଷା ଆଦି ମୁକୁଳା ହୋଇପଡିଛି । ଯିଏ ଯେତେବେଳେ ଚାହିଁଲା ମହେନ୍ଦ୍ରରେ ପ୍ରବେଶ କରୁଛି ଏବଂ ଫେରୁଛି । ଯଦ୍ବାରା ନାନାଦି ବିଭ୍ରାଟ ସୃଷ୍ଟି ହେଉଛି ବୋଲି ଅଞ୍ଚଳବାସୀ କହିଛନ୍ତି । ତେଣୁ ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମହେନ୍ଦ୍ରର ସୁରକ୍ଷା ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କ ଲାଗି ସମୟ ନିର୍ଘଣ୍ଟ ବ୍ୟବସ୍ଥା କରିବା କଲେ ବିଶୃଙ୍ଖଳା ସୃଷ୍ଟି ହେବନାହିଁ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ।

