ବୋଲଗଡ଼,୧୪।୧୦ (ସୁଶାନ୍ତ କୁମାର ପ୍ରଧାନ):ଶାରଦୀୟ ନବରାତ୍ରିର ଚତୁର୍ଥ ଦିନରେ ପୂଜା ପାଆନ୍ତି ସୃଷ୍ଟିର ଆଦିଶକ୍ତି ମା’ କୂଷ୍ମାଣ୍ଡା। କୁ-ଅର୍ଥ କ୍ଷୁଦ୍ର, ଉଷ୍ମା ଅର୍ଥ ଉତ୍ତାପ ଓ ଅଣ୍ଡା ଅର୍ଥ ବ୍ରହ୍ମାଣ୍ଡ। ଯିଏ ନିଜ ଉଦରରେ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ ହେଉଛନ୍ତି ମା’ କୂଷ୍ମାଣ୍ଡା। ଶାସ୍ତ୍ର କୁହେ, ଯେତେବେଳେ ଚାରିଆଡେ ଅନ୍ଧକାର ଥିଲା, ସେତେବେଳେ ମା’ କୂଷ୍ମାଣ୍ଡା ନିଜର ଈଷତ୍ ହସରେ ଏହି ସୃଷ୍ଟି କରିଥିଲେ। ଆଦିସ୍ୱରୂପା, ସୂର୍ଯ୍ୟମଣ୍ଡଳ ମଧ୍ୟରେ ନିବାସ କରୁଥିବା ସୂ-ମହାଲକ୍ଷ୍ମୀ ସ୍ୱରୂପା ଏହି ମା’ ସିଂହବାହିନୀ ଓ ଅଷ୍ଟଭୁଜା। ତାଙ୍କ ଆଠ ହାତରେ କମଣ୍ଡଳୁ, ଧନୁ, ବାଣ, ପଦ୍ମଫୁଲ, ଅମୃତ କଳସ, ଚକ୍ର, ଗଦା ଓ ଅଷ୍ଟମ ହାତରେ ସିଦ୍ଧି ଓ ନିଧି ପ୍ରଦାୟିନୀ ଜପମାଳା ଧାରଣ କରିଛନ୍ତି।ବିଶ୍ୱାସ ରହିଛି, ଯୋଗମାୟାର ଅନାହତ ଚକ୍ରରେ ଧ୍ୟାନ କରି ମା’ଙ୍କୁ ପୂଜା କଲେ ମନ ପବିତ୍ର ହୁଏ, ଘରେ ସନ୍ତାନ ପ୍ରାପ୍ତି, ଆରୋଗ୍ୟ ଓ ସମୃଦ୍ଧି ଆସେ।ଆଜି ଆମେ ମାଟି ମୂର୍ତିରେ ମା’ କୂଷ୍ମାଣ୍ଡାଙ୍କୁ ପୂଜା କରୁଛେ, କିନ୍ତୁ ଜୀବନ୍ତ ନାରୀକୁ କ’ଣ ସମ୍ମାନ ଦେଉଛେ ? ଯେଉଁ ମା’ ନିଜ ଗର୍ଭରେ ବ୍ରହ୍ମାଣ୍ଡ ସୃଷ୍ଟି କରିପାରେ, ସେହି ଶକ୍ତି ଆଜିର ପ୍ରତିଟି ଝିଅ, ବୋହୂ, ମା’ ଭିତରେ ଅଛି। ଜଣେ ଝିଅ ନିଜ ଗର୍ଭରେ ଗୋଟିଏ ନୂଆ ଜୀବନ ସୃଷ୍ଟି କରେ, ଏହାଠୁ ବଡ଼ ବ୍ରହ୍ମାଣ୍ଡ ଆଉ କ’ଣ ହୋଇ ପାରେ ? ତେଣୁ କେବଳ ନବରାତ୍ରିରେ ନୁହେଁ, ପ୍ରତିଦିନ ନାରୀକୁ ସମ୍ମାନ ଦିଅନ୍ତୁ।ଝିଅକୁ ବୋଝ ନୁହେଁ, କୂଷ୍ମାଣ୍ଡାର ରୂପ ଭାବନ୍ତୁ। ଘରେ ବୋହୂକୁ ଅତ୍ୟାଚାର ନୁହେଁ, ତା ଭିତରେ ଥିବା ସୃଷ୍ଟି ଶକ୍ତିକୁ ପ୍ରଣାମ କରନ୍ତୁ। ରାସ୍ତାରେ ଯାଉଥିବା ଝିଅକୁ ଅସମ୍ମାନ ନୁହେଁ, ମା’ ଭଳି ସୁରକ୍ଷା ଦିଅନ୍ତୁ। ଯେଉଁ ସମାଜରେ ନାରୀ ସୁରକ୍ଷିତ, ସେହି ସମାଜରେ ମା’ କୂଷ୍ମାଣ୍ଡାଙ୍କ ଆଶୀର୍ବାଦ ସବୁଦିନ ରହିଥାଏ।ଆଜି ପ୍ରତିଜ୍ଞା କରିବା – ମାଟିର ମୂର୍ତ୍ତି ସହ ଜୀବନ୍ତ ମା’ କୁ ବି ପୂଜା କରିବା।

