ଭଞ୍ଜନଗର,୧୭।୭(ନିଲୁ ବିଷୋୟୀ):ରଥଯାତ୍ରା ଦେଖିବାକୁ ଯାଇ ଆଉ ଘରକୁ ଫେରିନଥିବା ଅଭିଯୋଗ। ନଦୀ ସୂଅରେ ଭାସି ପଳାଇଥିବା ସନ୍ଦେହ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରସିଂ ଥାନା କୃଷ୍ଣପଲ୍ଲୀ ଗ୍ରାମର ଜଣେ ଯୁବକ ନିଖୋଜ ହୋଇଥିବା ତାରସିଂ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୃଷ୍ଣପଲ୍ଲୀ ଗ୍ରାମର ରାଧା ନାୟକଙ୍କ ପୁଅ ଗୋପାଳ ନାୟକ ଗତକାଲି କୁଲାଡ ରଥଯାତ୍ରା ଦେଖିବାକୁ ସାଇକଲ ଧରି ଘରୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ। ଏହାପରେ ଗୋପାଳ କୌଣସି ସନ୍ଧାନ ନମିଳିବାରୁ ପରିବାର ପକ୍ଷରୁ ତାରସିଂ ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ବରେ ଆଖପାଖ ଇଲାକାରେ ଖୋଜା ଖୋଜି କରାଯାଇଥିଲା। ବଡନଦୀ କୂଳରେ ଗୋପାଳର ପୋଷକ ମିଳଥିବା ବେଳେ ପାଣି ସୂଅରେ ସେ ଭାସି ଯାଇଥିବା ସନ୍ଦେହ କରି ଦମକଳ କେନ୍ଦ୍ର ସହାୟତାରେ ମଧ୍ୟ ଆଜି ମଧ୍ୟାହ୍ନରେ ଖୋଜାଖୋଜି କରାଯାଇଥିଲା। ଏହି ସମୟରେ ଗୋପାଳର ସାଇକଲ ମିଳିଥିବା କୁହାଯାଇଥିବା ବେଳେ ଗୋପାଳର କୌଣସି ସନ୍ଧାନ ମିଳି ପାରିନି। ଆସନ୍ତାକାଲି ମଧ୍ୟ ନଦୀରେ ସନ୍ଧାନ ଜାରି ରହିବ ବୋଲି ଦମକଳ କେନ୍ଦ୍ର ପକ୍ଷରୁ ସନାତନ ମହାପାତ୍ର ସୂଚନା ଦେଇଛନ୍ତି।

