ବୋଲଗଡ଼,୧୮/୭(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଳକରେ ଲଗାତାର ଲଘୁଚାପ ଜନିତ ବର୍ଷା ପାଇଁ ଚଳିତ ବର୍ଷର ଧାନଚାଷ ଆରମ୍ଭରୁ ହିଁ ଧାନ ନଷ୍ଟ ହୋଇଛି। କେଉଁଠି ଧାନ ଗଜା ହୋଇଥିଲା ତ ଆଉ କେଉଁଠି ଛୋଟ ଛୋଟ ଧାନତଳି ଉଠି ଥିଲା। ହେଲେ ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ହେବା ଫଳରେ ବିଲରେ ପାଣି ଜମି ରହିବା ଦ୍ବାରା ଏକର ଏକର ଚାଷଜମିରେ ଗଜାତଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ରୁ ଏହା ଦେଖି ଚିନ୍ତାରେ ପଡିଯାଇଛି ଚାଷୀ। ଚଳିତବର୍ଷ ବର୍ଷା ବିଳମ୍ବରେ ହେବାରୁ ଚାଷୀ ଧାନତଳି ପ୍ରସ୍ତୁତ କରିବାରେ ବିଳମ୍ବ କରିଥିଲେ। ଗତ ସପ୍ତାହରେ ସାମାନ୍ୟ ବର୍ଷା ହେବା ପରେ ଚାଷୀମାନେ ଆଶା ବାନ୍ଧି ବିଲରେ ତଳି ପ୍ରସ୍ତୁତ କରିଥିଲେ। ମାତ୍ର ୫ ରୁ ୭ଦିନ ତଳେ ବୁଣାଯାଇଥିବା ଏହି ତଳିଗୁଡ଼ିକ ମାତ୍ର ଅଳ୍ପ ଗଜା ହୋଇ ପାଣିରେ ପଡି ରହିଛି। ଲଘୁଚାପ ବର୍ଷା ଚାଷୀଙ୍କ ଗଜାତଳି ଗୁଡ଼ିକ ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବାରୁ ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଛି। ଯେଉଁ ଜମି ଗୁଡ଼ିକରେ ଜଳ ନିଷ୍କାସନ ସୁବିଧା ରହିଛି, ସେଠାରେ ତଳି କିଛି ମାତ୍ରାରେ ସୁରକ୍ଷିତ ଥିବା ବେଳେ ସମସ୍ତ ଖାଲୁଆ ଜମିରେ ପାଣି ଜମି ରହି ସର୍ବନାଶ କରିଦେଇଥିବା ଚାଷୀ କହିଛନ୍ତି। ଅନ୍ୟପଟେ ଚାଷୀଙ୍କ ପାଖରେ ବଳକା ବିହନ ନାହିଁ। ଏହି କ୍ଷୟକ୍ଷତି ପରେ ଚଳିତ ବର୍ଷ ଧାନଚାଷ ଆଗକୁ କିଭଳି ହେବ, ସେ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ଏ ପରିସ୍ଥିତିରେ ଚାଷୀ ମାନେ କଣ କରିବେ କିଛି ଭାବି ପାରୁ ନାହିଁ । ସରକାର ଓ କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

