କବିସୂର୍ଯ୍ୟ ନଗର:(ଜନବାଣୀ): ଦିନ ଥିଲା ବାହାଘର ଓ ଚାଷକାମ ହେଉ ଅଥବା ଜିନିଷ ପତ୍ର ନେବା ଆଣିବାରେ ଶଗଡ଼ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗ୍ରାମାଞ୍ଚଳରେ ସୁସଜ୍ଜିତ ଶଗଡ଼ରେ ନବବଧୂଟିଏ ଶାଶୁ ଘର ଯିବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଥିଲା। ହେଲେ ଆଧୁନିକତାର ଛାପ ଓ ଗାଡ଼ିର ବହୁଳ ବ୍ୟବହାରରେ ଶଗଡ଼ଗାଡ଼ି ହଜିଗଲାଣି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ତେବେ ଏହି ପୁରୁଣା ପରମ୍ପରାକୁ ପୁଣି କବିସୂର୍ଯ୍ୟନଗର ବ୍ଲକ ସାମନ୍ତରା ପଲ୍ଲୀ ଗ୍ରାମର ପ୍ରମୋଦ ପ୍ରଧାନ ଜୀବିତ କରିଛନ୍ତି। ଶଗଡ଼ ପଠାଇ ବୋହୂକୁ ଘରକୁ ଆଣିବା ପରେ ପୁଅ ସହ ବାହାଘର କରାଇଛନ୍ତି। ପ୍ରମୋଦଙ୍କ ଏକମାତ୍ର ପୁଅ ଶନିଶ୍ଚର ପ୍ରଧାନଙ୍କ ବାହାଘର ପୋଲସରା ବ୍ଲକ କଳମ୍ବ ଗ୍ରାମ ଫୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ସହ ଠିକ୍ ହୋଇଥିଲା। ତେବେ ବାହା ଘରକୁ ସ୍ମରଣୀୟ କରିବାକୁ ପ୍ରମୋଦଙ୍କ ଘରୁ ବୋହୂକୁ ଆଣିବାକୁ ଏକ ଶଗଡ଼ ପଠାଯାଇଥିଲା। ନବବଧୂ ବେଶରେ ସଜେଇ ହୋଇ ଶଗଡ଼ରେ ବସି ବର୍ଷା ସାମନ୍ତରା ପଲ୍ଲୀ ଗ୍ରାମ ଶାଶୁଘରେ ପହଞ୍ଚିବା ପରେ ବାହାଘର ହୋଇଥିଲା।

