ବୋଲଗଡ଼,୨୬।୧୦(ସୁଶାନ୍ତ କୁମାର ପ୍ରଧାନ):ଆଶ୍ୱିନର ମେଘମୁକ୍ତ ଆକାଶ। କୁମାର ପୂର୍ଣ୍ଣିମାର ଜହ୍ନ ଯେତେବେଳେ ଆକାଶରୁ କ୍ଷୀର ଢାଳୁଛି, ସେତେବେଳେ ବୋଲଗଡ଼ ମାଟିରେ ଆରମ୍ଭ ହୋଇଛି ସୁନା ବର୍ଷା। କାହିଁକି ନା ଧରାକୁ ଓହ୍ଲାଇ ଆସିଛନ୍ତି ଧନଧାନ୍ୟ ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ – ମା’ ଗଜଲକ୍ଷ୍ମୀ। ମା’ ଦୁର୍ଗା ଗଲେ କ’ଣ ହେଲା, ମା’ ତ ଏବେ ବି ଅଛନ୍ତି ଆମ ଗହଣରେ କେବଳ ରୂପ ବଦଳାଇ। ଗତକାଲି ସନ୍ଧ୍ୟାରୁ ବୋଲଗଡ଼ ବ୍ଲକର ଜରିପଡା, ସାନପଦର ସ୍କୁଲ ସାହି, ଗଡ଼ସାହି ଓ ଧଳାପଥର ଅଞ୍ଚଳରେ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଆକାଶ। ଶରତ ଜହ୍ନର ଶୀତଳ ଜ୍ୟୋତ୍ସ୍ନା ଓ ମଣ୍ଡପର ଦୀପାଳୋକ ମିଶି ଯେମିତି ବୋଲଗଡ଼ ଆକାଶରେ ଇନ୍ଦ୍ରଧନୁ ଆଙ୍କିଛି। ପ୍ରତି ମଣ୍ଡପରେ ମା’ଙ୍କ ଶାନ୍ତ, ସୌମ୍ୟ କିନ୍ତୁ ଦିବ୍ୟ ମୂର୍ତ୍ତି। ପଦ୍ମ ଉପରେ ବସିଛନ୍ତି ମା’, ଦୁଇ ପାର୍ଶ୍ୱରେ ଦୁଇ ଗଜରାଜ ଶୁଣ୍ଢରେ ସୁନା କଳସ ଧରି ମା’ଙ୍କୁ ଅଭିଷେକ କରୁଛନ୍ତି। ଏହା ହିଁ ଗଜଲକ୍ଷ୍ମୀଙ୍କ ପରିଚୟ ସୌନ୍ଦର୍ଯ୍ୟରେ ସମୃଦ୍ଧି, ସମୃଦ୍ଧିରେ ଶାନ୍ତି। ଶାସ୍ତ୍ର କୁହେ, ଗଜ ହେଉଛି ଶକ୍ତି, ଐଶ୍ୱର୍ଯ୍ୟ ଓ ବର୍ଷାର ପ୍ରତୀକ। ଯେଉଁ ମାଟିରେ ଗଜ ଅଛି, ସେଠି ମେଘ ଅଛି। ଯେଉଁଠି ମେଘ ଅଛି, ସେଠି ଚାଷ ଅଛି। ଆଉ ଯେଉଁଠି ଚାଷ ଅଛି, ସେଠି ଲକ୍ଷ୍ମୀ ଅଛନ୍ତି। ତେଣୁ ଆମ ପୂର୍ବପୁରୁଷ ଗଜ ସହ ଲକ୍ଷ୍ମୀଙ୍କୁ ପୂଜା କଲେ। ଏହା କେବଳ ପୂଜା ନୁହେଁ, ଏହା ଆମ କୃଷି ସଂସ୍କୃତିର ଅଭୁଲା ବନ୍ଦନା।ଆଜି ଯେତେବେଳେ ବୋଲଗଡ଼ ବଜାରରେ ଯୁବକ ବେକାର ହୋଇ ବୁଲୁଛି, ନିଶା ନିଦ୍ରାରେ ଭବିଷ୍ୟତ ହଜାଉଛି, ଚାଷୀ ସାର ଦର ଓ ମଣ୍ଡି ଦରରେ ମରୁଛି, ସେତେବେଳେ ଏହି ଗଜଲକ୍ଷ୍ମୀ ପୂଜା ଆମକୁ କାନରେ କହୁଛି – ପରିଶ୍ରମ ବିନା ଲକ୍ଷ୍ମୀ ଆସେନି। ଗଜ ପରି ପରିଶ୍ରମ କର, ହାତୀ ପରି ଧୈର୍ଯ୍ୟ ରଖ, ଲକ୍ଷ୍ମୀ ଆପେ ଆସିବେ। ଜରିପଡା ପୂଜା କମିଟିର ବୟୋଜ୍ୟେଷ୍ଠ ବ୍ୟକ୍ତି କହନ୍ତି, “ଦୁର୍ଗା ପୂଜା ହେଉଛି ଶକ୍ତିର ପୂଜା, ଗଜଲକ୍ଷ୍ମୀ ପୂଜା ହେଉଛି ସମୃଦ୍ଧିର ପୂଜା। ଶକ୍ତି ବିନା ସମୃଦ୍ଧି ରହେନି, ସମୃଦ୍ଧି ବିନା ଶକ୍ତିର ମୂଲ୍ୟ ନାହିଁ। ଦୁଇଟା ଯାକ ଦରକାର।” ସୂଚନା ଅନୁସାରେ ଆଗାମୀ ୩ ଦିନ ଧରି ଏହି ସବୁ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଓ ଦୀପାଳୋକରେ ପୂଜା ମଣ୍ଡପ ଗୁଡ଼ିକ ଝଲସିବ।

