ଜଟଣୀ,୧୧।୧୦(କେଦାର ନାଥ ସାହୁ):ସ୍ଥାନୀୟ ଗୋପୀନାଥ ଜୀ ମନ୍ଦିର ପରିସରରେ ଅବସ୍ଥିତ ମା’ ଦୁର୍ଗା ମନ୍ଦିରରେ ଗତ ୧୦ ଅକ୍ଟୋବର ଶନିବାରଠାରୁ ମା’ ଦୁର୍ଗାଙ୍କ ନବରାତ୍ରି ମହୋତ୍ସବ ଧୁମ୍ଧାମ୍ରେ ଆରମ୍ଭ ହୋଇଛି। ଏହି ମହୋତ୍ସବ ଅକ୍ଟୋବର ୧୦ ତାରିଖ ଶନିବାରଠାରୁ ୨୦ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧୦ ତାରିଖ ଶନିବାର ଦିନ ମା’ ଦୁର୍ଗାଙ୍କ ମନ୍ଦିରର ଗର୍ଭଗୃହରେ କଳସ ସ୍ଥାପନ କରାଯାଇଥିଲା। ଅକ୍ଟୋବର ୧୧ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କ ସମେତ ବିଭିନ୍ନ ମଣ୍ଡପରେ ଦୈନିକ ପୂଜାର୍ଚ୍ଚନା ଓ ଆଳତି ପ୍ରତିଦିନ ସକାଳ ୮ଟା ୩୦ ମିନିଟ୍ରୁ ଅନୁଷ୍ଠିତ ହେବ।ଏହି ଅବସରରେ ଅକ୍ଟୋବର ୧୭ ତାରିଖ ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ମନ୍ଦିର ପରିସରରେ ମାତାରାଣୀଙ୍କ ଭକ୍ତମାନଙ୍କ ଦ୍ୱାରା ଡାଣ୍ଡିଆ ଓ ଗରବା ରାସ ନୃତ୍ୟ ଆୟୋଜନ କରାଯିବ। ସେହିପରି ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ଗରବା ଓ ଡାଣ୍ଡିଆ ରାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୋଲକାତାରୁ ଆସୁଥିବା କଳାକାର ହର୍ଷିତା ଡିଡୱାନିଆ ଓ ତାଙ୍କ କଳାକାର ଦଳଙ୍କ ସହଯୋଗରେ ମ୍ୟୁଜିକ୍ ବ୍ୟାଣ୍ଡ୍ ସହିତ ଡାଣ୍ଡିଆ ରାସ ନୃତ୍ୟ ପରିବେଷଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ଅକ୍ଟୋବର ୧୯ ତାରିଖ ସୋମବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ମାତାରାଣୀଙ୍କ ଜ୍ୟୋତି ପ୍ରଜ୍ୱଳନ କରାଯାଇ ଭଜନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଦିଲ୍ଲୀରୁ ଆସୁଥିବା ପ୍ରସିଦ୍ଧ ଭଜନ ଗାୟକ ଶ୍ରୀ ନରେଶ ସୈନି ଓ ତାଙ୍କ ଦଳ ମାତାରାଣୀଙ୍କ ଭଜନ ପରିବେଷଣ କରିବେ। ମନ୍ଦିର କମିଟିର ସଭାପତି ମହେଶ ଅଗ୍ରୱାଲ ଓ ସମ୍ପାଦକ ପ୍ରଦୀପ ଅଗ୍ରୱାଲ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ମହୋତ୍ସବର ଅନ୍ତିମ ଦିବସରେ ମହାନବମୀ, ବିଜୟା ଦଶମୀ ଓ ହୋମଯଜ୍ଞ ପରେ ମଧ୍ୟାହ୍ନରେ ସାମୂହିକ ଭଣ୍ଡାରା ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଅନ୍ତିମ ଦିନର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୮ଟା ୩୦ ମିନିଟ୍ରେ ନିୟମିତ ପୂଜାର୍ଚ୍ଚନା, ସକାଳ ୧୦ଟା ୩୦ ମିନିଟ୍ରେ ହୋମ ଓ ପୂଜାବିଧି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୦୫ ମିନିଟ୍ରେ ଯଜ୍ଞର ପୂର୍ଣ୍ଣାହୁତି ପରେ ସମସ୍ତ ବିଗ୍ରହଙ୍କ ଆଳତି କରାଯିବ। ଏହା ପରେ ଜଟଣୀ ମାରୱାଡ଼ି ସମାଜର ୫୪ରୁ ଅଧିକ କନ୍ୟାଙ୍କର ବିଧିବିଧାନ ଅନୁଯାୟୀ କନ୍ୟାପୂଜନ କରାଯିବ। କନ୍ୟାପୂଜନ ପରେ ସାମୂହିକ ଭଣ୍ଡାରା ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

